ନୂଆଦିଲ୍ଲୀ: ଗୁରୁଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାତ୍ର ଘଣ୍ଟାଏ ବର୍ଷା ଫଳରେ ସହରର ବହୁ ମୁଖ୍ୟ ରାସ୍ତା ଓ ସେକ୍ଟର ଜଳମଗ୍ନ ହୋଇଯିବାରୁ ଜିଲ୍ଲା ପ୍ରଶାସନ ଅଫିସଗୁଡ଼ିକୁ ୱାର୍କ ଫ୍ରମ୍ ହୋମ୍ (WFH) ଏବଂ ସ୍କୁଲଗୁଡ଼ିକୁ ଅନଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ ଦେଇଛି।

ଟ୍ରାଫିକ୍ ସମସ୍ୟା ଓ ଜଳବନ୍ଦୀକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ଘରୋଇ ସଂସ୍ଥାଗୁଡ଼ିକୁ ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ପାଠପଢ଼ା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି। ଅପରାହ୍ନ ୧:୩୦ ସୁଦ୍ଧା ଗୁରୁଗ୍ରାମରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ରାଜୀବ ଚୌକ, ଇଫକୋ ଚୌକ, ରେଲୱେ ରୋଡ୍, ସେକ୍ଟର ୫, ଓଲ୍ଡ ଦିଲ୍ଲୀ ରୋଡ୍, ମେହରୌଲୀ ରୋଡ୍ ଏବଂ ବାସାଇ ରୋଡ୍ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ସିଗ୍ନେଚର ଟାୱାରରୁ ହିରୋ ହୋଣ୍ଡା ଛକ ପର୍ଯ୍ୟନ୍ତ ଯାଉଥିବା ରାସ୍ତା ପାରି ହେବାକୁ ସାଧାରଣତଃ ୧୫ ମିନିଟ୍ ସମୟ ଲାଗେ । କିନ୍ତୁ ଏବେ ଲୋକଙ୍କୁ ପ୍ରାୟ ୫୦ ମିନିଟ୍‌ରୁ ଅଧିକ ସମୟ ଲାଗିଥିଲା। ଗେଟୱେ ଟାୱାର ମେଟ୍ରୋ ଷ୍ଟେସନ ସମ୍ମୁଖରେ ଥିବା ସାଇବର ହବ୍ (Cyber Hub) ନିକଟସ୍ଥ ଏକ୍ସପ୍ରେସୱେ ବୁଡ଼ିଯିବା ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଧୀମା ହୋଇଯାଇଥିଲା।