କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ଅଗ୍ନିମିତ୍ରା ପାଲ୍ ଏବଂ ନିସିଥ ପରମାଣିକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଆଜି ସନ୍ଧ୍ୟାରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ।

ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଭବ୍ୟ ସମାରୋହ

ରବୀନ୍ଦ୍ର ଜୟନ୍ତୀ ଅବସରରେ ଶନିବାର ସକାଳ ୧୦ଟାରେ କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ NDA ଶାସିତ ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ।

ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ

ନୂଆ ସରକାରରେ ଅନେକ ପ୍ରଭାବଶାଳୀ ନେତା ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲୀପ ଘୋଷ, ଶଙ୍କର ଘୋଷ, ସ୍ଵପନ ଦାସଗୁପ୍ତ, ଜିତେନ୍ଦ୍ର ତିୱାରୀ, ରୁଦ୍ରନୀଲ ଘୋଷ, ଦୁଧକୁମାର ମଣ୍ଡଳ, ନୀଳାଦ୍ରି ଶେଖର ଏବଂ ପ୍ରଣତ ଟୁଡୁ।

କାହିଁକି ଶୁଭେନ୍ଦୁଙ୍କୁ ମିଳିଲା ସୁଯୋଗ ?

ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ଆସନରୁ ବିଜୟୀ ହୋଇ ଶୁଭେନ୍ଦୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଏବଂ ସାଙ୍ଗଠନିକ ଦକ୍ଷତା ପାଇଁ ଦଳ ତାଙ୍କ ଉପରେ ଭରସା ପ୍ରକଟ କରିଛି।

ଅମିତ ଶାହ ଏହି ସମୟର କହିଛନ୍ତି, "ବଙ୍ଗଳା ଜନତା ପିଏମ ମୋଦୀଙ୍କ ଉପରେ ବିଶ୍ୱାସ କରିଛନ୍ତି। ହିଂସା ମଧ୍ୟରେ ବି ଜନତା ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି। ଆମକୁ ବିନମ୍ରତାର ସହ ଏହି ଦାୟିତ୍ୱ ନିଭାଇବାକୁ ହେବ।