Falta Repoll 2026: ପଶ୍ଚିମବଙ୍ଗର ହାଇ-ପ୍ରୋଫାଇଲ୍ ଫଲ୍ତା (Falta) ବିଧାନସଭା ଆସନର ପୁନଃ-ମତଦାନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ର ପ୍ରାର୍ଥୀ ଦେବାଂଶୁ ପଣ୍ଡା ଏକ ଐତିହାସିକ ଓ ବୃହତ ବିଜୟ ହାସଲ କରିଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ କରି ଏହି ଆସନକୁ ନିଜ କବ୍ଜାକୁ ନେଇଛନ୍ତି। ଅପରପକ୍ଷରେ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ପାଇଁ ଏହି ଫଳାଫଳ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି, ଯେଉଁଠି ଦଳର ପ୍ରାର୍ଥୀ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି। ନିର୍ବାଚନ କମିଶନଙ୍କ ଚୂଡ଼ାନ୍ତ ସଂଖ୍ୟା ଅନୁଯାୟୀ, ପଣ୍ଡା ୧,୪୯,୬୬୬ ଭୋଟରେ ଏହି ଆସନରେ ବିଜୟୀ ହୋଇଥିଲେ, ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଶମ୍ଭୁ ନାଥ କୁର୍ମୀଙ୍କୁ ୧,୦୯,୦୨୧ ଭୋଟର ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ। କୁର୍ମି ୪୦,୬୪୫ ଭୋଟ ପାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅବଦୁର ରଜ୍ଜାକ ମୋଲ୍ଲା ୧୦,୦୮୪ ଭୋଟ ସହିତ ବହୁତ ପଛରେ ପଡିଯାଇଥିଲେ।

ଭୋଟ୍ ଜାଲିଆତି ଅଭିଯୋଗ ପରେ ହୋଇଥିଲା ପୁନଃ-ମତଦାନ

ସୂଚନାଯୋଗ୍ୟ ଯେ, ପୂର୍ବରୁ ହୋଇଥିବା ମତଦାନ ସମୟରେ ବ୍ୟାପକ ଭୋଟ୍ ଜାଲିଆତି ଏବଂ ନିର୍ବାଚନୀ ଅନିୟମିତତା ଅଭିଯୋଗ ହେବା ପରେ ଭାରତୀୟ ନିର୍ବାଚନ କମିଶନ (ECI) ଫଲ୍ଟାର ସମସ୍ତ ୨୮୫ଟି ବୁଥରେ ପୁନଃ-ମତଦାନ (Repoll) ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଏଠାରେ ଭୋଟ୍ ଗଣତି ସାରା ରାଜ୍ୟ ଅପେକ୍ଷା ବିଳମ୍ବରେ ହୋଇଥିଲା।

Also Read- ଯୁବପିଢ଼ିଙ୍କ ଡିଜିଟାଲ ଆନ୍ଦୋଳନକୁ ସୋନମ ୱାଙ୍ଗଚୁକଙ୍କ ସମର୍ଥନ: ନିଜକୁ କହିଲେ ‘Honorary Cockroach’

TMC ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର ଓ ଦଳର ବିପର୍ଯ୍ୟୟ

ସବୁଠାରୁ ରୋଚକ କଥା ହେଲା ରାଜ୍ୟରେ ବିଜେପିର ବନ୍ୟା ଦେଖି ଟିଏମସି (TMC) ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନର ନିଜ ନାଁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ। ଫଳ ସ୍ୱରୂପ, ସେ ଦୌଡ଼ରୁ ପ୍ରାୟ ବାଦ୍ ପଡ଼ିଥିଲେ ଏବଂ ଗଣତି ଶେଷ ସୁଦ୍ଧା ଚତୁର୍ଥ ସ୍ଥାନରେ ରହିଥିଲେ। ସେହିପରି ସିପିଆଇ(ଏମ) (CPI-M) ର ପ୍ରାର୍ଥୀ ଶମ୍ଭୁ ନାଥ କୁର୍ମୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ଏଠାରେ ଏକତରଫା ଭାବେ ବିଜୟୀ ହୋଇଛି। ଏହି ବିଜୟ ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି, ଯେଉଁଠି କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ସୁରୁଖୁରୁରେ ମତଦାନ ଓ ଗଣତି ପ୍ରକ୍ରିୟା ଶେଷ ହୋଇଛି।