କୋଲକତା ୯।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା । ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ । ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା । ଶୁଭେନ୍ଦୁ ଅଧିକାରୀ କହିଥିଲେ, ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ତୁରନ୍ତ 'ଧାମ' ଶବ୍ଦ ହଟିବ । ଏଥିପାଇଁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ କରାଯିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭେନ୍ଦୁ ଅଧିକାରୀଙ୍କୁ ମୋହନ ମାଝୀଙ୍କ ଚିଠି ଲେଖିଥିଲେ । ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ବାଦ୍ ଦେବାକୁ ଚିଠିରେ ଉଲ୍ଲେଖ ଥିଲା । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ଜଗନ୍ନାଥ ଧାମ’ ଶବ୍ଦଟି ଭାରତର ପୂଜ୍ୟ ଚାରିଧାମ ମଧ୍ୟରୁ ଗୋଟିଏ ପୁରୀରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମ ସହିତ ଆନ୍ତରିକ ଭାବରେ ଜଡିତ । ଏହି ନାମକରଣ ଅତ୍ୟନ୍ତ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ ଏବଂ ଅଗଣିତ ଭକ୍ତଙ୍କ ବିଶ୍ୱାସ ଏବଂ ଚେତନାରେ ଏକ ଅନନ୍ୟ ସ୍ଥାନ ଅଧିକାର କରେ ।

​​​​​​​Also Read:- ଦୀଘା ‘ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ପୁରୀର ଶ୍ରୀଜଗନ୍ନାଥ ଧାମ ସହିତ ଜଡିତ ପବିତ୍ରତା ଏବଂ ସ୍ୱତନ୍ତ୍ର ପରିଚୟକୁ ସଂରକ୍ଷଣ କରିବାର ମନୋଭାବରେ, ‘ଧାମ’ ଶବ୍ଦକୁ ବାଦ୍ ଦେଇ ଏବଂ ‘ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା’ ଭଳି ଏକ ଉପଯୁକ୍ତ ବିକଳ୍ପ ନାମ ଗ୍ରହଣ କରି ଦୀଘା ମନ୍ଦିର ପରିସରର ନାମକରଣର ଉପଯୁକ୍ତ ସଂଶୋଧନକୁ ସହଜ କରିବା ପାଇଁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦୀଘାରେ 'ଜଗନ୍ନାଥ ଧାମ' ନାମ ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରି ଅପିଲ କରିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ାହୋଇଛି ଦୀଘା ଜଗନ୍ନାଥ ମନ୍ଦିର । ୨୦ ଏକର ଜମିରେ ଓ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଛି ମନ୍ଦିର । ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ଦିନରୁ ଲାଗି ରହିଥିଲା ବିବାଦ । ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଥିଲା । ସବୁଆଡୁ ବିରୋଧର ସୁଅ ଛୁଟିଥିଲା । ବିବାଦ ବଢ଼ିବା ପରେ ଦୀଘାରୁ ହଟିଥିଲା ‘ଜଗନ୍ନାଥ ଧାମ’ ନାମ । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ସମେତ ଓଡ଼ିଶା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘାରୁ ହଟାଇ ଦିଆଯାଇଥିଲା ଜଗନ୍ନାଥ ଧାମ ନାମ ।