ତିରୁଅନନ୍ତପୁରମ: କେରଳ-କର୍ଣ୍ଣାଟକ ବୋର୍ଡର ପାଖ ୱାୟନାଡରୁ ଏକ ଏପରି ଖବର ସାମ୍ନାକୁ ଆସିଛି, ଯାହା କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ପୋଲିସକୁ ଏଠାରେ ଏକ କାରର ସିଟ୍ ତଳୁ ନଗଦ କୋଟି କୋଟି ଟଙ୍କା ମିଳିଛି । ଡ୍ରାଇଭର୍ ଗାଡ଼ିର ସିଟ୍ ତଳେ ଏକ ସିକ୍ରେଟ୍ ବାକ୍ସରେ ରଖିଥିଲା ଏବଂ ଏହି ବାକ୍ସରୁ ପୋଲିସକୁ ଏକ କୋଟିରୁ ଅଧିକ କ୍ୟାସ୍ ମିଳିଛି ।

ଡ୍ରାଇଭର୍ ସିଟ୍ ତଳେ ସିକ୍ରେଟ୍ ବାକ୍ସ

ପୋଲିସ ଅଧିକାରୀଙ୍କ ଅନୁସାରେ, ଗାଡ଼ିରେ ଡ୍ରାଇଭର୍ ସିଟ୍ ତଳେ କରାଯାଇଥିବା ସିକ୍ରେଟ୍ ବାକ୍ସରେ ପ୍ରାୟ ୧.୪୪ କୋଟି ଟଙ୍କା ଲୁଚାଇ ରଖାଯାଇଥିଲା । ଥିରୁନେଲ୍ଲୀ ପୋଲିସ ଏବଂ ଜିଲ୍ଲାର ସ୍ପେଶାଲ୍ ଆଣ୍ଟି ଡ୍ରଗ୍ ଟିମ କର୍ଣ୍ଣାଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରୁଥିଲେ । ଏହି ସମୟରେ ସେମାନେ ଏକ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ ।

ଗାଡ଼ିର ଭଲ ଭାବେ ଯାଞ୍ଚ କରିବା ପରେ ପୋଲିସକୁ ଡ୍ରାଇଭର ସିଟ୍ ତଳେ ଏକ ଗୁପ୍ତ ବାକ୍ସ ମିଳିଥିଲା । ଏହା ଭିତରେ ନଗଦ ଟଙ୍କାର ଅନେକ ବଣ୍ଡଲ୍ ଲୁଚାଯାଇ ରଖାଯାଇଥିଲା । ପୋଲିସ ମୋଟ ୧,୪୪,୫୦,୦୦୦ ଟଙ୍କା ଜବତ କରିଛି । ଗାଡ଼ିରେ ସେହି ସମୟରେ ତିନିଜଣ ଲୋକ ଯାତ୍ରା କରୁଥିଲେ । ପୋଲିସ ତିନିଜଣଙ୍କୁ ହାଜତକୁ ନେଇ ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।

ପୋଲିସ ଗାଡ଼ିରେ ଥିବା ତିନିଜଣଙ୍କର ପରିଚୟ ଚିହ୍ନଟ କରିଛି । ଏମାନଙ୍କ ମଧ୍ୟରେ କୋଝିକୋଡ ଜିଲ୍ଲାର ୨୦ ବର୍ଷୀୟ ପ୍ରଭୁ ରାଜ, କନ୍ନୁର ଜିଲ୍ଲାର ପାନୁରର ୨୩ ବର୍ଷୀୟ ସ୍ୱପ୍ନିଲ ଏବଂ ମହାରାଷ୍ଟ୍ରର ରହୁଥିବା ୨୬ ବର୍ଷୀୟ ରାହୁଲ ସାମିଲ ଅଛନ୍ତି । ସେମାନଙ୍କ ପାଖକୁ କେଉଁଠାରୁ ଏତେ ଟଙ୍କା ଆସିଲା ପୋଲିସ ତାର ତଦନ୍ତ କରୁଛି । ଏହା ସହିତ ଏହି ଟଙ୍କା କେଉଁଠାକୁ ନିଆଯାଉଥିଲା ଏବଂ ଏହା କାହାକୁ ଦିଆଯିବାର ଥିଲା ତାର ବି ଯାଞ୍ଚ କରୁଛି ।