ନୂଆଦିଲ୍ଲୀ: ମୌସୁମୀ ବର୍ଷା ସାରା ଦେଶରେ ଜଳ ତାଣ୍ଡବ ରଚୁଥିବା ବେଳେ ମହାରାଷ୍ଟ୍ରର ଠାରୁ ଆସାମ ସବୁଠାରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଏପଟେ କେରଳରେ ୱାୟନଡରେ ପୁଣିଥରେ ଭୟଙ୍କର ଭୂସ୍ଖଳନ ଘଟିଛି। ଏକ ନିର୍ମାଣାଧୀନ ସୁଡ଼ଙ୍ଗ ସାଇଟ୍ରେ ଭୟଙ୍କର ମାଟି ଅତଡ଼ା ଖସି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ଭୂସ୍ଖଳନ ୨୦୨୪ ଘଟିଥିବା ସେହି ଭୟଙ୍କର ଦୁର୍ଘଟଣାକୁ ପୁଣିଥରେ ମନେ ପକାଇ ଦେଇଛି। ଯେଉଁଥିରେ ଭୂସ୍ଖଳନରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

ୱାୟନଡ଼ର ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ ଚାରିଆଡ଼େ ପାଣି ମାଡ଼ିଯାଇଛି। ତେବେ ଭୂସ୍କଳନ ଘଟଣାଟି ମୀନାକ୍ଷୀ ସେତୁ ନିକଟରେ ଘଟିଛି। ଯେଉଁଠି ଅନକ୍କାମ୍ପୋଇଲ-କଲ୍ଲାଡି-ମେପ୍ପାଡି ଯୁଗ୍ମ ସୁଡ଼ଙ୍ଗ ପ୍ରକଳ୍ପର କାମ ଚାଲିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ, ମାଲାପ୍ପୁରମ ଏବଂ ୱାୟାନାଡ ଜିଲ୍ଲାକୁ ସଂଯୋଗ କରିବ। ଏହି ଅଞ୍ଚଳ ମୁଣ୍ଡକ୍କାଇ ନିକଟରେ ଅବସ୍ଥିତ। ଯାହା ୨୦୨୪ ମସିହାରେ ଭୂସ୍ଖଳନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ସଦ୍ୟ ଭୂସ୍କଳନରେ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଲୋକମାନେ ଇଞ୍ଜିନିୟର ଏବଂ ସୁରକ୍ଷା କର୍ମଚାରୀ ଥିଲେ ବୋଲି ସରକାରୀ ଅଧିକାରୀ କହିଛନ୍ତି। ଜଣେ ଅଧିକାରୀ କହିଛନ୍ତି "ଯଦି ସେଠାରେ କାମ ଚାଲିଥାନ୍ତା, ତେବେ ଏହା ଏକ ବଡ଼ ଦୁଃଖଦ ଘଟଣା ହୋଇଥାନ୍ତା।" ଆହତମାନଙ୍କୁ ଚିକିତ୍ସା ପାଇଁ ମେପାଡି WIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁସାରେ, ଅନୁସାରେ, ଗତ ୨୪ ଘଣ୍ଟାରେ ୱାୟନାଡ଼ରେ ପ୍ରାୟ ୨୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷା ଋତୁରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଇଛି। ଏହି ପରିସ୍ଥିତିକୁ ଦେଖି ସପ୍ତାହର ପ୍ରାରମ୍ଭରେ ୱାୟନାଡ଼ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିଲା।

Also read- ମଣିପୁରରେ ସେନା ଗାଡ଼ି ଉପରେ ଆକ୍ରମଣ, IED ବ୍ଲାଷ୍ଟରେ ଦୁଇ ଯବାନ ସହିଦ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ପାହାଡ଼ ଉପରୁ ବିପୁଳ ପରିମାଣର କାଦୁଅ ଓ ମାଟି ତଳକୁ ଖସିଆସୁଛି। ଏହି ସମୟରେ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବା ମଧ୍ୟ ଦେଖାଯାଇଛି। ଭୂସ୍ଖଳନ ଘଟିଥିବା ସ୍ଥାନ ନିକଟରେ କିଛି ଘର ଓ ହୋମ୍ଷ୍ଟେ ଥିବାରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଥମେ ସ୍ଥାନୀୟ ଲୋକମାନେ ଆଗକୁ ଆସି ଅନେକଙ୍କୁ ଉଦ୍ଧାର କରିଥିଲେ।

ପରେ କଳପେଟାରୁ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହା ସହିତ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF)ର ଏକାଧିକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

କେରଳ କୃଷିମନ୍ତ୍ରୀ ଟି. ସିଦ୍ଦିକ୍ ଏହି ଘଟଣାକୁ ମାନବସୃଷ୍ଟ ଭୂସ୍ଖଳନ ବୋଲି କହି କୋଙ୍କଣ ରେଳୱେ କର୍ପୋରେସନ ଲିମିଟେଡ୍ ଉପରେ ଦୋଷାରୋପ କରିଛନ୍ତି। ଏହି ସଂସ୍ଥା ସେହି ଅଞ୍ଚଳରେ ସୁଡ଼ଙ୍ଗ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକରୁଛି। ଏହା ପ୍ରାକୃତିକ ଭୂସ୍ଖଳନ ନୁହେଁ। ଅବୈଜ୍ଞାନିକ ଭାବେ ବିପୁଳ ପରିମାଣର ମାଟି ଗଦା କରି ରଖାଯାଇଥିବାରୁ ଏହି ଘଟଣା ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଜିଲ୍ଲାପାଳ ପୂର୍ବରୁ ଭୂସ୍ଖଳନ ଆଶଙ୍କା ସମ୍ପର୍କରେ କୋଙ୍କଣ ରେଳୱେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ମାଟି ଗଦାକୁ ହଟାଇବାକୁ କୋଙ୍କଣ ରେଳୱେକୁ କୁହାଯାଇଥିଲା।କିନ୍ତୁ ରେଳବାଇ ଏଥିରେ କର୍ଣ୍ଣପାତ କଲା ନାହିଁ। ଦୁଇ ବର୍ଷ ପୂର୍ବରୁ ମୁଣ୍ଡକ୍କାଇ ଭୂସ୍ଖଳନରେ ୨୯୮ ଜଣଙ୍କ ଜୀବନ ଯାଇଥିଲା। ଏଭଳି ଅବହେଳାକୁ ସହ୍ୟ କରାଯିବ ନାହିଁ। ବୋଲି କୃଷିମନ୍ତ୍ରୀ କହିଛନ୍ତି

ନ୍ୟୁଜ୍ ମିନିଟ୍ର ଏକ ରିପୋର୍ଟ ଅନୁସାରେ, ସୁଡ଼ଙ୍ଗ ନିର୍ମାଣ ସମୟରେ ବାହାର କରାଯାଇଥିବା ମାଟିକୁ ଏକ ପାର୍ଶ୍ୱରେ ଗଦା କରି ରଖାଯାଇଥିଲା। ପ୍ରବଳ ବର୍ଷା ଓ ବନ୍ୟାଜଳରେ ସେହି ମାଟି ତଳକୁ ଧୋଇ ଆସି ଏହି ବିପର୍ଯ୍ୟୟ ସୃଷ୍ଟି କରିଥିବା କୁହାଯାଇଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ ଏକ ଜରୁରୀ ବୈଠକ ଡାକିଛନ୍ତି। କୃଷିମନ୍ତ୍ରୀ ଟି. ସିଦ୍ଦିକ୍ ଓ ରାଜସ୍ୱମନ୍ତ୍ରୀ ଏ.ପି. ଅନିଲ କୁମାରଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୱାୟନାଡ଼ ପଠାଯାଇଛି।

ସୂଚନା ଥାଉକି ଯେଉଁ ଦୁଇଟ୍ ପ୍ରକଳ୍ପ କାମ ଚାଲିଛି ତାହା ସମ୍ପୂର୍ଣ୍ଣ ହେଲେ ଆନକ୍କାମ୍ପୋଇଲ–ମେପ୍ପାଡି ସଡ଼କ ସୁଡ଼ଙ୍ଗ କେରଳର ସବୁଠାରୁ ଦୀର୍ଘ ଏବଂ ଭାରତର ତୃତୀୟ ଦୀର୍ଘତମ ସଡ଼କ ସୁଡ଼ଙ୍ଗ ହେବ।

କାହିଁକି ୱାୟନାଡ଼ରେ ବାରମ୍ବାର ଭୂସ୍ଖଳନ ଘଟେ?

ୱାୟନାଡ଼ର ପାହାଡ଼ିଆ ଅଞ୍ଚଳ ଦୀର୍ଘ ଦିନ ଧରି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ପରିଚିତ। କେରଳରେ ସବୁଠାରୁ ଅଧିକ ଭୂସ୍ଖଳନ ଆଶଙ୍କା ଥିବା ଜିଲ୍ଲା ହେଉଛି ୱାୟନାଡ଼। ଏହା ଭୂକମ୍ପ ଦୃଷ୍ଟିରୁ ସିସ୍ମିକ୍ ଜୋନ୍-III ଅନ୍ତର୍ଗତ ଅଞ୍ଚଳରେ ମଧ୍ୟ ରହିଛି।

୨୦୨୪ ମସିହାର ଭୟଙ୍କର ଭୂସ୍ଖଳନର କ୍ଷତ ଆଜି ମଧ୍ୟ ତାଜା ରହିଛି। ସେତେବେଳେ ଚୁରାଲମାଲା, ମୁଣ୍ଡକ୍କାଇ ଓ ପୁଞ୍ଚିରିମାଟ୍ଟମ୍ ଅଞ୍ଚଳରେ ପରପରା ଭୂସ୍ଖଳନ ଘଟି ସମ୍ପୂର୍ଣ୍ଣ ଗାଁଗୁଡ଼ିକ ମାନଚିତ୍ରରୁ ଲିଭିଯାଇଥିଲା। ସରକାରୀ ତଥ୍ୟ ଅନୁସାରେ ୨୯୮ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ସ୍ଥାନୀୟ ଲୋକଙ୍କ ମତରେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଅଧିକ ଥିଲା।

ଗତ କିଛି ଦଶନ୍ଧି ଧରି ୱାୟନାଡ଼ରେ ଏକାଧିକ ବଡ଼ ଭୂସ୍ଖଳନ ଘଟିଛି। ସେଥିମଧ୍ୟରେ ୧୯୮୪ର ମୁଣ୍ଡକ୍କାଇ ଭୂସ୍ଖଳନ, ୧୯୯୨ର କପ୍ପିକ୍କାଲମ୍ ଭୂସ୍ଖଳନ (୧୧ ମୃତ୍ୟୁ) ଏବଂ ୨୦୦୭ ଜୁନରେ ଭାଲମଥୋଡେ ଦୁର୍ଘଟଣା ପ୍ରମୁଖ।