ନୂଆଦିଲ୍ଲୀ: ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ଅକ୍ଟୋବର ୨ ତାରିଖରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ କକରୋଚ୍ ଜନତା ପାର୍ଟି (CJP) ଦ୍ୱାରା ପ୍ରସ୍ତାବିତ ଆନ୍ଦୋଳନକୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ କରାଯାଉଥିବା ପ୍ରତ୍ୟେକ ପ୍ରୟାସ ପ୍ରଶଂସନୀୟ ଏବଂ ସମର୍ଥନଯୋଗ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରସ୍ତାବିତ ପ୍ରତିବାଦ ସଭାକୁ ନିଜର ପୂର୍ଣ୍ଣ ସମର୍ଥନ ଥିଲେ ସୁଦ୍ଧା, ସେ ଏଥିରେ  ଉପସ୍ଥିତ ରହିନପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକଟି ଆନ୍ଦୋଳନରେ ତାଙ୍କର ଉପସ୍ଥିତି ଆବଶ୍ୟକ ନୁହେଁ; ବରଂ ଅନେକ ଲୋକ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସ୍ୱର ଉତ୍ତୋଳନ କରୁଥିବା ଦେଖି ସେ ଆନନ୍ଦିତ ଏବଂ ଏହି ଅଭିଯାନ ସ୍ୱାଧୀନ ଭାବରେ ସଫଳ ହେବ ବୋଲି ସେ ଆଶାବାଦୀ।

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ୱାଙ୍ଗଚୁକଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୋଟର ପଞ୍ଜୀକରଣ, ନାମ ବାଦ୍ ପଡ଼ିବା, ନାମ ପୁନରୁଦ୍ଧାର ଏବଂ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କିତ ନିଷ୍ପତ୍ତି ଉପରେ ଗତ ୧୦ ମାସ ମଧ୍ୟରେ ନିର୍ବାଚନ ଆୟୁକ୍ତ ଏସ୍. ଏସ୍. ସନ୍ଧୁ ଏବଂ ବିବେକ ଯୋଶୀ ଅତି କମରେ ୧୪ ଥର ଲିଖିତ ଭାବରେ ଆପତ୍ତି ଜଣାଇଥିଲେ। ଯଦିଓ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସମସ୍ତ ନିଷ୍ପତ୍ତି ତିନିଜଣ ଆୟୁକ୍ତଙ୍କ ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ଭୋଟରଙ୍କ ସୁବିଧା ପାଇଁ ଘରକୁ ଘର ଯାଞ୍ଚ ପରି ପଦକ୍ଷେପ ଘୋଷଣା କରିଛନ୍ତି, ତଥାପି ଏହାକୁ ନେଇ ରାଜନୀତି ସରଗରମ ରହିଛି।

ୱାଙ୍ଗଚୁକ୍ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ନିର୍ବାଚନ ବ୍ୟବସ୍ଥା ହିଁ ଗଣତନ୍ତ୍ରର ମୂଳଦୁଆ। ଯଦି ନିର୍ବାଚନ ପ୍ରକ୍ରିୟା କଳୁଷିତ ହୋଇଯିବ, ତେବେ ଗଣତନ୍ତ୍ରର ଆଉ କିଛି ବଞ୍ଚି ରହିବ ନାହିଁ। ଏହାସହ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଉଚିତ୍ ବୋଲି ସେ ମନେପକାଇ ଦେଇଛନ୍ତି। ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିର ଉଦାହରଣ ଦେଇ ସେ କହିଛନ୍ତି ଯେ, ନ୍ୟାୟ ଏବଂ ଉତ୍ତରଦାୟିତ୍ୱ ପାଇଁ କାର୍ଯ୍ୟ କରୁଥିବା ଯେକୌଣସି ସଂଗଠନ, ରାଜନୈତିକ ଦଳ କିମ୍ବା ଶାସକ ବିଜେପି ମଧ୍ୟରେ ଥିବା ବ୍ୟକ୍ତିବିଶେଷଙ୍କୁ ସେ ସଦାସର୍ବଦା ସମର୍ଥନ କରନ୍ତି।

କକରୋଚ୍ ଜନତା ପାର୍ଟି (CJP) ଆସନ୍ତା ଅକ୍ଟୋବର ୨ ତାରିଖରୁ ମୁମ୍ବାଇରୁ ଏହି ପ୍ରତିବାଦ ଆରମ୍ଭ କରିବାକୁ ଘୋଷଣା କରିଛି। ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ହୋଇଥିବାରୁ ଏହା ଏକ ପବିତ୍ର ଦିବସ ଏବଂ ଗାନ୍ଧୀଜୀଙ୍କ ଅହିଂସା ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ମାର୍ଗ ନାଗରିକଙ୍କ ଅଧିକାର ଲଢ଼େଇ ପାଇଁ ସଦା ସର୍ବଦା ପ୍ରେରଣାଦାୟୀ ବୋଲି ୱାଙ୍ଗଚୁକ୍ କହିଛନ୍ତି। ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ମଧ୍ୟ SIR ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଏବଂ ଏହି ବିଷୟରେ ଆଲୋଚନା କରିବା ପାଇଁ ଇଣ୍ଡି ମେଣ୍ଟର ଦଳଗୁଡ଼ିକ ସେପ୍ଟେମ୍ବର ୩୦ ରେ ଦିଲ୍ଲୀରେ ଏକ ବୈଠକ କରିବାକୁ ଯୋଜନା କରିଛନ୍ତି।