ଥିରୁଅନନ୍ତପୁରମ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ବିରାଟ ରେକର୍ଡ । ମହାନ ବ୍ୟାଟର୍ ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସଚିନ୍ ତେନ୍ଦୁଲକରଙ୍କର ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଥିରୁଅନନ୍ତପୁରମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ (ODI) ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ସେ  ୧୫,୦୦୦  ରନ୍ ପୂରଣ କରିବାର ବିଶ୍ବ ରେକର୍ଡ ରଚିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ୫୯ ରନ୍‌ର ଆବଶ୍ୟକତା ଥିଲା। ଦିନିକିଆ କ୍ରିକେଟ୍ ଇତିହାସରେ ୧୫,୦୦୦ ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି  ଦ୍ୱିତୀୟ ବ୍ୟାଟର୍ । ପୂର୍ବରୁ ସଚିନ୍ ତେନ୍ଦୁଲକର ୩୭୭ ଟି ପାଳି ଖେଳି ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ, ବିରାଟ କୋହଲି ମାତ୍ର ୩୦୩ ଟି ପାଳିରେ ଏହି ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ପ୍ରଥମ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ର ଓପନର୍ ଜଷ୍ଟିନ୍ ଗ୍ରୀଭ୍ସଙ୍କ ଶତକ (୧୦୮ ବଲ୍ରୁ ୧୦୧ ରନ୍) ଏବଂ ଜନ୍ କ୍ୟାମ୍ପବେଲ୍ଙ୍କ (୬୦ ବଲ୍ରୁ ୬୨ ରନ୍) ବଳରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ରେ ୨୯୫ ରନ୍ କରିଥିଲା । ଗ୍ରୀଭ୍ସ ଏବଂ କ୍ୟାମ୍ପବେଲ୍ ପ୍ରଥମ ୱିକେଟ୍ ପାଇଁ ୧୩୫ ରନ୍ର ଦୃଢ଼ ଭାଗିଦାରୀ କରି ଦଳକୁ ଏକ ବିଶାଳ ସ୍କୋର ଆଡ଼କୁ ନେଇଯାଇଥିଲେ। ମାତ୍ର କୁଲଦୀପ ଯାଦବ (୪/୪୦) ନିଜର ଚତୁର ସ୍ପିନ୍ ବୋଲିଂ ମାଧ୍ୟମରେ ପ୍ରତିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

କୁଲଦୀପ ପ୍ରଥମେ କ୍ୟାମ୍ପବେଲ୍ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ । ପରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ସାଇ ହୋପଙ୍କୁ ନିଜର ଲାଇନ୍-ଲେନ୍ଥରେ ଭ୍ରମିତ କରି ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରେ ଶତକଧାରୀ ଗ୍ରୀଭ୍ସ ଏବଂ ଯୁବ ବ୍ୟାଟର୍ ଜୁଏଲ୍ ଆଣ୍ଡ୍ରିୟୁଙ୍କୁ କ୍ରମାଗତ ଦୁଇଟି ବଲରେ ଆଉଟ୍ କରି ୱେଷ୍ଟଇଣ୍ଡିଜକୁ ବଡ଼ ଝଟ୍କା ଦେଇଥିଲେ। ଗୋଟିଏ ସମୟରେ ୧୭୬ ରନରେ ୧ ୱିକେଟ୍ ହରାଇ ମଜଭୁତ ସ୍ଥିତିରେ ଥିବା ୱେଷ୍ଟଇଣ୍ଡିଜ୍ ଦଳ ୧୯୮ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା।

ଶେଷଆଡ଼କୁ ଆମିର ଜାଙ୍ଗୋଙ୍କ ଅପରାଜିତ ୫୮ ରନର ପାଳି ଯୋଗୁଁ ୱେଷ୍ଟଇଣ୍ଡିଜ୍ ୨୯୫ ରନର ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଥିଲା। ସେ ରୋଷ୍ଟନ୍ ଚେଜ ସହ ୪୮ ରନ୍ ଏବଂ ମାଥ୍ୟୁ ଫୋର୍ଡଙ୍କ ସହ ୩୮ ରନ୍ର ଭାଗିଦାରୀ କରିଥିଲେ। ଏହି ମ୍ୟାଚ୍ରେ ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଅନୁପସ୍ଥିତି ଯୋଗୁଁ ଭାରତର ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାର୍ ଏବଂ ନୀତିଶ କୁମାର ରେଡ୍ଡୀଙ୍କ ବୋଲିଂ କିଛିଟା ମହଙ୍ଗା ସାବ୍ୟସ୍ତ ହୋଇଥିଲା।