ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ନିଜର ଅନ୍ତର୍ଜାତୀୟ କ୍ରିୟାଶୀଳ କ୍ୟାରିୟରର ବାକି ସମୟକୁ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ବ୍ୟବହାର କରିବାକୁ ଏହି ଦୁଇ ଭେଟେରାନ ଖେଳାଳି ସଙ୍କଳ୍ପବଦ୍ଧ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପୂର୍ବରୁ ଜିଓ-ଷ୍ଟାର୍‌କୁ ଦେଇଥିବା ଏକ ସାକ୍ଷାତକାରରେ କୋହଲି ଏବଂ ରୋହିତ ୫୦ ଓଭର ବିଶ୍ୱକପ୍‌ର ଆହ୍ୱାନ ଏବଂ ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୭ ବିଶ୍ୱକପ୍‌ ପାଇଁ ସେମାନଙ୍କର ଲକ୍ଷ୍ୟ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ୍ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ଭାରତ ପାଇଁ ତାଙ୍କର ଶେଷ ବିଶ୍ୱକପ୍ ହେବାକୁ ଯାଉଛି। କୋହଲି କହିଛନ୍ତି ଯେ, ୫୦ ଓଭର ବିଶ୍ୱକପ୍‌ର ଗ୍ରହଣୀୟତା ଅନ୍ୟ ସମସ୍ତ ଟୁର୍ଣ୍ଣାମେଣ୍ଟ ଠାରୁ ଯଥେଷ୍ଟ ଅଧିକ, କାରଣ  ପ୍ରାୟ ୧୦ଟି ମ୍ୟାଚ୍‌ରେ ଟି-୨୦ ସ୍ତରର ମାନସିକତା ଓ ଶାରୀରିକ ଶକ୍ତି ବଜାୟ ରଖିବାକୁ ପଡ଼ିଥାଏ। ପ୍ରତି ଦିନ ୨.୫ ଟି-୨୦ ମ୍ୟାଚ୍‌ ଖେଳିବାକୁ ପଡ଼େ । କୋହଲି କହିଛନ୍ତି, ଭାରତ ପାଇଁ ଏହା ମୋର ଶେଷ ବିଶ୍ୱକପ୍ ହୋଇଥିବାରୁ, ପଡ଼ିଆରେ ନିଜର ସବୁକିଛି ସମର୍ପଣ କରି ଦଳକୁ ବିଶ୍ୱବିଜେତା କରାଇବା ହିଁ ମୋର ମୁଖ୍ୟ ପ୍ରେରଣା।

ଅନ୍ୟପଟେ, ରୋହିତ ଶର୍ମା କହିଛନ୍ତି ଯେ, ଜଣେ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ତାଙ୍କ ପାଇଁ ଶେଷ ବୋଲି କିଛି ନାହିଁ ଏବଂ ସବୁବେଳେ ଆଗକୁ ବଢ଼ିବାର ପ୍ରେରଣା ରହିଥାଏ। ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ସ୍ୱତନ୍ତ୍ର ଆହ୍ୱାନ ବିଷୟରେ ସେ କହିଛନ୍ତି ଯେ, ଭିନ୍ନ ଭିନ୍ନ ପ୍ରତିପକ୍ଷ ଓ ପରିବେଶରେ ଖେଳିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଏବଂ ଭିନ୍ନ ରଣନୀତି ଆବଶ୍ୟକ ହୋଇଥାଏ। ୨୦୨୭ ବିଶ୍ୱକପ୍‌କୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ରବିବାରଠାରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ ଜରିଆରେ କୋହଲି ଓ ରୋହିତ ୨୦୨୭ ବିଶ୍ୱକପ୍‌ ପାଇଁ ନିଜର ପ୍ରସ୍ତୁତି ପର୍ବ ଆରମ୍ଭ କରିବେ।