ନୂଆଦିଲ୍ଲୀ: ଯୋଗୀ ସରକାର ଉତ୍ତର ପ୍ରଦେଶରେ ସରକାରୀ ଚାକିରି ପାଇଁ ଚରିତ୍ର ପ୍ରମାଣପତ୍ର ସହ ଜଡ଼ିତ ନିୟମକୁ ଅଧିକ କଠୋର କରିଛନ୍ତି । ଏଣିକି ବ୍ୟବସ୍ଥା ପରିବର୍ତ୍ତନ (ରିଜିମ୍ ଚେଞ୍ଜ) ପରିବର୍ତ୍ତନ ପାଇଁ ହିଂସାରେ ସାମିଲ ଆଶାୟୀଙ୍କୁ ସରକାରୀ ଚାକିରି ମିଳିବ ନାହିଁ । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜନୈତିକ ବିଚାରଧାରା କିମ୍ୱା କେବେଳ ଏଫଆଇଆର୍ ରୁଜୁ ହେବା ଦ୍ୱାରା କୌଣସି ଆଶାୟୀଙ୍କୁ ଚାକିରିରୁ ବଞ୍ଚିତ କରାଯିବ ନାହିଁ ।

ନୂଆ ନିୟମ ଅନୁସାରେ ହିଂସା ବଳରେ ବ୍ୟବସ୍ଥା ପରିବର୍ତ୍ତନ ଅର୍ଥାତ୍ ରିଜିମ୍ ଚେଞ୍ଜ କରିବା ପାଇଁ ଉଦ୍ଦେଶ୍ୟ ରଖୁଥିବା ସଂଗଠନ ସହ ଜଡି଼ତ ବ୍ୟକ୍ତି ସରକାରୀ ଚାକିରି ପାଇଁ ଅଯୋଗ୍ୟ ହେବେ । ନୂଆ ନିୟମ ଅନୁସାରେ, ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ନୀତି, ଆତଙ୍କବାଦୀ କାର୍ଯ୍ୟକଳାପ, ପେପର୍ ଲିକ୍ ଏବଂ ସଲଭର୍ ଗ୍ୟାଙ୍ଗ ସହ ଜଡ଼ିତ ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏହି ନିୟମଗୁଡ଼ିକ ପୂର୍ବରୁ ଥିଲା, କିନ୍ତୁ ଏବେ ସେଗୁଡ଼ିକୁ ଅଧିକ ସ୍ପଷ୍ଟ କରାଯାଇଛି । ନିୟମଗୁଡ଼ିକ କାର୍ଯ୍ୟକଳାପ ପାଇଁ ବୟସ ଏବଂ ସମୟ ସୀମା ମଧ୍ୟ ସ୍ଥିର କରାଯାଇଛି । ସୂଚନା ଅନୁଯାୟୀ, ୨୧ ବର୍ଷ ବୟସ ହେବା ପରେ ତଦନ୍ତ ତାରିଖର ଶେଷ ତିନି ବର୍ଷ ମଧ୍ୟରେ " ରିଜିମ ଚେଞ୍ଜ" କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ପ୍ରମାଣ ଭାବରେ ବିବେଚନା କରାଯିବ ।

ଏହି ନୂଆ ବ୍ୟବସ୍ଥା ହିଂସା କାର୍ଯ୍ୟ ଏବଂ କେବଳ ରାଜନୈତିକ ଚିନ୍ତାଧାରା ମଧ୍ୟରେ ପାର୍ଥକ୍ୟ ଉପରେ ଗୁରୁତ୍ୱ ଦିଏ । ଏହା ସ୍ପଷ୍ଟ କରେ ଯେ ସରକାରୀ ଚାକିରି ପାଇଁ ଚରିତ୍ର ଯାଞ୍ଚ ରାଜନୈତିକ ଦୃଷ୍ଟିକୋଣ ପରିବର୍ତ୍ତେ ପ୍ରତିଷ୍ଠିତ ନିୟମ ଉପରେ ଆଧାରିତ ହେବ । କେବଳ ଏଫଆଇଆର କିମ୍ବା ବିଚାରାଧୀନ ତଦନ୍ତର ଉପସ୍ଥିତି ଜଣେ ପ୍ରାର୍ଥୀଙ୍କୁ ସରକାରୀ ଚାକିରିରୁ ଅଯୋଗ୍ୟ କରିବ ନାହିଁ ।

ଯୋଗୀ ସରକାର ସାମ୍ପ୍ରତିକ ବ୍ୟବସ୍ଥା ପରିବର୍ତ୍ତନ ଏବଂ ବିରୋଧକୁ ଦୃଷ୍ଟିରେ ରଖି ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଏମ୍. ଦେବରାଜ ଏହି ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ପୋଲିସକୁ ୩୦ ଦିନ ମଧ୍ୟରେ ଏକ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସରକାରୀ ଚାକିରିରେ ଥିବା କର୍ମଚାରୀମାନେ ଯାଞ୍ଚର ଅଧୀନ ହେବେ ନାହିଁ । ଏହି ନିୟମ ଉତ୍ତର ପ୍ରଦେଶ ସରକାରଙ୍କ ସମସ୍ତ ବିଭାଗ, କମିଶନ ଏବଂ ନିଯୁକ୍ତି ବୋର୍ଡ ପାଇଁ ଲାଗୁ ହେବ। ତେବେ ସାଧାରଣ ଏବଂ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରତିବାଦ କିମ୍ବା କାର୍ଯ୍ୟକଳାପ ଉପରେ ଏହି ନିୟମ ଲାଗୁ ହେବ ନାହିଁ । ସରକାରଙ୍କ ମତରେ ଯେ ଏହି ନୂତନ ନୀତି ଯୁବପିଢ଼ିଙ୍କୁ ଅଧିକ ଦାୟିତ୍ୱବାନ କରିବ ।