ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଉଜ୍ଜୈନରେ ପୁଣି ହିଂସା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ପରେ ଲଗାତାର ଶୁକ୍ରବାର ଦ୍ବିତୀୟ ଦିନରେ ମଧ୍ୟ ସ୍ଥିତି ବିଗିଡ଼ିଛି। ଉପଦ୍ରବକାରୀମାନେ ପଥରମାଡ଼ ଏବଂ ପୋଡ଼ାଜଳା କରି ପୁଣି ପରିସ୍ଥିତିକୁ ଅଶାନ୍ତ କରିଛନ୍ତି। ଅବଶ୍ୟ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଛି ଏବଂ ଅଭିଯୁକ୍ତଙ୍କ ଖୋଜ୍ ଜାରି ରଖିଛି।

ସୂଚନାଥାଉକି, ଗୁରୁବାର ତରାନା ତହସିଲର ରାମ ମନ୍ଦିର ନିକଟ ସୁଖଲା ଗଳିରେ ଜଣେ ହିନ୍ଦୁବାଦୀ ନେତା ସୋହେଲ ଠାକୁରଙ୍କ ଉପରେ କିଛି ଲୋକେ ଆକ୍ରମଣ କରିଥିଲେ। ଏହା ପରେ ସେଠାରେ ହଙ୍ଗାମା ବଢ଼ିଥିଲା ଏବଂ ସନ୍ଧ୍ୟାରେ କିଛି ଲୋକ ପଥରମାଡ଼ ଏବଂ ପୋଡ଼ାଜଳା କରିଥିଲେ। ପୋଲିସ କୌଣସି ପ୍ରକାରେ ସ୍ଥିତି ନିୟନ୍ତ୍ରଣକୁ କରି ବିଏନଏସର ଧାରା ୧୬୩ ଲାଗୁ କରିଥିଲା।

ହେଲେ ଶୁକ୍ରବାର ବଜରଙ୍ଗ ଦଳର କର୍ମୀ ଥାନା ଘେରାଉ କରିଥିଲେ ଏବଂ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ଜଣେ ଫେରାର ଅଭିଯୁକ୍ତକୁ ଗିରଫ ଏବଂ ତା’ର ଘର ଉପରେ ବୁଲଡୋଜର ଆକ୍ସନ ଦାବିକୁ ନେଇ ସେମାନେ ଧାରଣାରେ ବସିଥିଲେ। ପୋଲିସ ସେମାନଙ୍କୁ ବୁଝା ସୁଝା କରି ଶାନ୍ତ କରିଥିଲା। ସ୍ଥାନୀୟ ବିଧାୟକ ମହେଶ ପରମାର ମଧ୍ୟ ଥାନା ପହଞ୍ଚିଥିଲେ ଏବଂ ପୋଲିସକୁ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ହେଲେ ଦ୍ବିପ୍ରହରରେ ପୁଣି ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ଅଜଣା ଲୋକେ ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ବସକୁ ଜାଳିଦେଇଥିଲେ। ଏକ ମୋଟରସାଇକେଲକୁ ଭଙ୍ଗିବା ସହ କିଛି ଘରର କାଚ ମଧ୍ୟ ଭଙ୍ଗାଯାଇଛି। ଏମିତିକି ମହିଳାଙ୍କୁ ଗାଳିଗୁଲଜ ଏବଂ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୨୫-୩୦ ଲୋକଙ୍କ ଭିଡ଼ ହଠାତ ମାଡ଼ିଆସି ଭଙ୍ଗାରୁଜା କରି ପଳାଇଯାଇଥିଲେ। ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ଟିମ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ପୋଲିସ ଅଭିଯୁକ୍ତଙ୍କ ଚିହ୍ନଟ ଆରମ୍ଭ କରିଛି। ଏହା ପୂର୍ବରୁ ପୋଲିସ ୫ ଜଣକୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ଚିହ୍ନଟ କରିଛି। କିନ୍ତୁ ସେମାନେ ଫେରାର ଅଛନ୍ତି।