ରାୟପୁରVinod Kumar Shukla Passed Away: ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲଙ୍କର ମଙ୍ଗଳବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସମକାଳନୀ ହିନ୍ଦୀ ସାହିତ୍ୟରେ ବିନୋଦ କୁମାର ଶୁକ୍ଲ ଜଣେ ଖୁବ୍ ପରିଚିତ ଚେହେରା। ଗତ କିଛିଦିନ ହେବ ଏହି ପ୍ରବୀଣ ଲେଖକ ଅସୁସ୍ଥ ଥିଲେ। ରାୟପୁର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ମଙ୍ଗଳବାର ତାଙ୍କର ବିୟୋଗ ହୋଇଥିବା ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।

ଶୁକ୍ଲାଙ୍କୁ ଡିସେମ୍ବର ୨ ତାରିଖରେ ଗୁରୁତର ଅବସ୍ଥାରେ ରାୟପୁର ଏମ୍ସର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ ଦ୍ୱାରା ଜାରି କରାଯାଇଥିବା ମେଡିକାଲ୍ ବୁଲେଟିନ୍ ଅନୁଯାୟୀ, ସେ ଏକ ଗମ୍ଭୀର ଶ୍ୱାସକ୍ରିୟା ରୋଗରେ ପୀଡିତ ଥିଲେ ଏବଂ ଇଣ୍ଟରଷ୍ଟିସିଆଲ୍ ଫୁସଫୁସ ରୋଗ (ILD)ର ପିଡ଼ିତ ଥିଲେ। ଟାଇପ୍-୨ ମଧୁମେହ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପ ସମେତ ଏକାଧିକ ରୋଗ ଯୋଗୁ ତାଙ୍କ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଥିଲା।

ଡାକ୍ତରଙ୍କ ସୂଚନା ଅନୁସାରେ, ଶୁକ୍ଲ ଗୁରୁତର ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। ଏଥିସହିତ ତାଙ୍କର ପ୍ଲୁରାଲ ଇଫ୍ୟୁଜନ ଏବଂ ସିଷ୍ଟମିକ୍ ସଂକ୍ରମଣ ମଧ୍ୟ ଥିଲା। ସେ ମୁଖ କ୍ୟାଣ୍ଡିଡାଇସିସ୍(oral candidiasis) ପାଇଁ ମଧ୍ୟ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ ନଭେମ୍ବର ୧ ତାରିଖରେ ବିନୋଦ କୁମାର ଶୁକ୍ଳଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ବିନୋଦ କୁମାର ଶୁକ୍ଳଙ୍କ ଜନ୍ମ ୧୯୩୭ ଜାନୁଆରୀ୧ରେ ଛତିଶଗଡ଼ର ରାଜନନ୍ଦଗାଓଁରେ ହୋଇଥିଲା। ସେ ଶିକ୍ଷକତାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କର ସମଗ୍ର ଜୀବନ ସାହିତ୍ୟ ସୃଷ୍ଟି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ଲେଖାରେ ସରଳତା, ମୌଳିକତା ଏବଂ ଗଭୀର ସମ୍ବେଦନଶୀଳତା ବାରି ହୋଇପଡେ। ହିନ୍ଦୀ ସାହିତ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ମସିହାରେ, ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୧୨ ତମ ହିନ୍ଦୀ ସାହିତ୍ୟିକ ଏବଂ ଛତିଶଗଡ଼ର ପ୍ରଥମ କବି ଭାବେ ଏହି ସମ୍ମାନ ପାଇଥିଲେ। ବିନୋଦ କୁମାର ଶୁକ୍ଳ ଜଣେ କବି, ଛୋଟ ଗଳ୍ପ ଲେଖକ ଏବଂ ଔପନ୍ୟାସିକ ଭାବରେ ପ୍ରତିଷ୍ଠିତ।

​​​​​​​ତାଙ୍କର ପ୍ରଥମ କବିତା, "ଅଲମୋଷ୍ଟ ଜୟ ହିନ୍ଦ," ୧୯୭୧ ମସିହାରେ ପ୍ରକାଶିତ ହୋଇଥିଲା। ସେହିବଳି ନୌକର କି କମିଜ୍, ଦିୱାର ମେ ଏକ ଖିଡକୀ ରହତି ଥି, ଏବଂ  ଖିଲେଗା ତୋ ଦିଖେଙ୍ଗେ ଭଳି ଉପନ୍ୟାସଗୁଡ଼ିକୁ ହିନ୍ଦୀ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ କୃତି ଭାବରେ ବିବେଚନା କରାଯାଏ। ନୌକର କି କମିଜ୍‌ର କାହାକଣୀକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମଣି କୌଲ ଏକ ଚଳଚ୍ଚିତ୍ରରେ ତିଆରି କରିଥିଲେ। ଦିୱାର ମେ ଏକ ଖିଡକୀ ରେହତି ଥି ପାଇଁ ତାଙ୍କୁ ସାହିତ୍ୟ ଆକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।