ଦେବଗଡ଼: ତାତି ଏମିତି ଯେ ଘରେ ରହିବା ମୁସ୍କିଲ ହୋଇପଡ଼ୁଛି । ଗରମ ସାଙ୍ଗକୁ ଗୁଳୁଗୁଳି ଦେଉଛି ଅସହ୍ୟ ଯନ୍ତ୍ରଣା । ଏପଟେ ଏ ଯନ୍ତ୍ରଣାକୁ ବଳିଗଲାଣି ଅଘୋଷିତ ବିଦ୍ୟୁତ କାଟ୍ ଓ ଲୋ ଭୋଲଟେଜ୍ ସମସ୍ୟା । ଗରମ, ଗୁଳୁଗୁଳିରେ ଲୋକ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଅଘୋଷିତ ବିଦ୍ୟୁତ କାଟ ପାଇଁ ବନ୍ଧା ପଡ଼ିଲେ ବିଦ୍ୟୁତ କର୍ମଚାରୀ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ବାରମ୍ବାର ବିଦ୍ୟୁତକାଟ ପାଇଁ ତାତିଛନ୍ତି ଗ୍ରାମବାସୀ ।

ଇଲେକ୍ଟ୍ରି ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ।  ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। କାଳବୈଶାଖୀ ଯୋଗୁଁ  ଚାରିଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଥିଲା।

ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବା ବେଳେ ତିନି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଛନ୍ତି।

also read-୫ ମାସ ପରେ ଜେଲ୍‌ରୁ ବାହାରିଲେ ଶ୍ରୀକ୍ଷେତ୍ର, ସୋନାଲି ପଣ୍ଡାଙ୍କ ଅଭିଯୋଗରେ ହୋଇଥିଲେ ଗିରଫ

ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାଯୋଗୁଁ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ଯେଉଁ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ର ଅଧିକାରୀ ଗ୍ରାମବାସୀଙ୍କ ନିକଟରେ ପହଂଚି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ଅଟକ ଥିବା ବିଦ୍ୟୁତ କର୍ମଚାରୀ ଛଡାଜିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇଛନ୍ତି।