ଉଦଳା ୧୩।୧୧: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ନେଇ ଆସିଥିବା ସିଆରସିସି ବିଦ୍ୟାଳୟରେ ଅଟକ । ସିଆରସିସି ଅଟକ ରଖିଲେ ପରିଚାଳନା କମିଟି ଏବଂ ଗ୍ରାମବାସୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଶିକ୍ଷା ବ୍ଲକ ନୁନ୍ଦୁରସାହି ଜନତା ନୋଡାଲ ୟୁପିଏସ ବିଦ୍ୟାଳୟରେ ।

ନୁଦଡିହା କ୍ଲଷ୍ଟର ସିଆରସିସି ଶରତ କୁମାର ମଲ୍ଲିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଜେନାଙ୍କ ନିଲମ୍ବନ ଆଦେଶ ଏବଂ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବାକୁ ବିଦ୍ୟାଳୟକୁ ଆସିଥିଲେ । ହେଲେ ଏହି ସମୟରେ ଗ୍ରାମବାସୀ ଏବଂ ପରିଚାଳନା କମିଟି ସଦସ୍ୟ ବିଦ୍ୟାଳୟରେ ପହଞ୍ଚି ନିଲମ୍ବନ ଆଦେଶକୁ ବିରୋଧ କରିଥିଲେ । ଏହା ସହିତ କେଉଁ କାରଣ ପାଇଁ ନିଲମ୍ବନ କରାଯାଉଛି ବୋଲି କହି ସିଆରସିସିଙ୍କୁ ବିଦ୍ୟାଳୟରେ ଅଟକ ରଖିଛନ୍ତି ।

Also Read:- ଡିସେମ୍ବର ୧ରୁ ଧାନ ଉଠାଇବେନି ରାଇସ୍ ମିଲର୍ସ, ସରକାରଙ୍କୁ ୧୦ ଦିନର ମହଲତ

ବିଦ୍ୟାଳୟ ବଗିଚା ସଫା କରୁଥିବା ବେଳେ ଜଣେ ଛାତ୍ରଙ୍କ ଉପରେ କୋଦାଳ ବାଜି ସେ ଆହତ ହୋଇଥିବା ଘଟଣାକୁ ନେଇ ନିଲମ୍ବନ ହୋଇଥିବାରୁ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ । ଉକ୍ତ ଆହତ ଛାତ୍ରଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ, ଘଟଣାର କୌଣସି ତଦନ୍ତ କରାଯାଇ ନାହିଁ, ତେଣୁ କେଉଁ ଆଧାରରେ ନିଲମ୍ବନ କରାଯାଉଛି ବୋଲି କହି ସିଆରସିସିଙ୍କୁ ଘେରିଥିଲେ ଗ୍ରାମବାସୀ । ୩ ଘଣ୍ଟାରୁ ଅଧିକ ହେବ ସିଆରସିସି ଅଟକ ଥିବା ବେଳେ କପ୍ତିପଦା ପୋଲିସ ବିଦ୍ୟାଳୟରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ ।