ନୂଆଦିଲ୍ଲୀ ୧୯।୩: ଚୀନ ସହିତ ସମ୍ପର୍କ ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି। ଏହିକ୍ରମରେ ଭାରତ ଗୁରୁବାର ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ ଦୋରାଇସ୍ୱାମୀଙ୍କୁ ଚୀନ୍ ରେ ରାଜଦୂତ ନିଯୁକ୍ତ କରିଛି। ଲଦ୍ଦାଖରେ ୪ ବର୍ଷରୁ ଅଧିକ କାଳ ଧରି ଜାରି ସୈନ୍ୟ ଗତିରୋଧ ପରେ ଉଭୟ ଦେଶଙ୍କ ଉତ୍ତେଜନାମୂଳକ ସମ୍ପର୍କକୁ ସୁଧାରିବା ପାଇଁ ପ୍ରୟାସରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି। ବିଦେଶମନ୍ତ୍ରାଳୟ କହିଛି ଯେ ନୂଆ ରଜଦୂତ ଖୁବ୍ ଶୀଘ୍ର ତାଙ୍କ କାର୍ଯ୍ୟରେ ଯୋଗଦେବେ।

ଜାଣନ୍ତୁ ଦୋରାଇସ୍ୱାମୀ କିଏ?
ଭାରତୀୟ ବିଦେଶ ସେବା (ଆଇଏଫଏସ୍) ୧୯୯୨ ବ୍ୟାଚ୍ ବରିଷ୍ଠ ଅଧିକାରୀ ଦୋରାଇସ୍ୱାମୀ ଏବେ ଚୀନ୍ ରେ ପ୍ରଦୀପ କୁମାର ରାବତଙ୍କ ସ୍ଥାନ ନେବେ। ସେ ଏହା ପୂର୍ବରୁ ମଧ୍ୟ ବେଜିଂରେ ଭାରତୀୟ ଦୂତାବାସରେ କାମ କରିଛନ୍ତି ଓ ବିଦେଶ ବ୍ୟାପାରରେ ଦୋରାଇସ୍ୱାମୀଙ୍କ ବେଶ୍ ଅଭିଜ୍ଞତା ରହିଛି। ଦୋରାଇସ୍ୱାମୀ ଏବେ ବ୍ରିଟେନରେ ଭାରତର ଉଚ୍ଚାୟୁକ୍ତ ଅବସ୍ଥାପିତ ଅଛନ୍ତି। ଦୋରାଇସ୍ୱାମୀ ବିଦେଶ ସେବାରେ ଯୋଗଦେବା ପୂର୍ବରୁ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସାମ୍ବାଦିକତା କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି।

ଥିଲେ ବ୍ରିଟେନ ହାଇକମିଶନ
ଦୋରାଇସ୍ୱାମୀଙ୍କ କ୍ୟାରିୟର ୧୯୯୪ ମସିହାରେ ହଂକଂରେ ସଚିବ ରୂପେ ଆରମ୍ବ ହୋଇଥିଲା। ସେଠାରେ ସେ ଚୀନ୍ ବିଶ୍ୱବିଦ୍ୟାଳୟର ନ୍ୟୁ ଏସିୟା ୟେଲ-ଇନ-ଏସିୟା ଭାଷା ସ୍କୁଲରୁ ଚୀନ୍ ଭାଷା ତାଲିମ ନେଇଥିଲେ। ପରେ ୧୯୯୬ ମସିହାରେ ସେ ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ ସେବା ଦେଇଥିଲେ। ୨୦୦୦ ମସିହାରେ ସେ ଦିଲ୍ଲୀ ଫେରିବା ପରେ ତାଙ୍କୁ ଉପ ପ୍ରୋଟକଲ ପ୍ରମୁଖ ନିଯୁକ୍ତ କରାଯାଇଥିଲା ଓ ପରେ ସେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରୂପେ କାମ କରିଥିଲେ।

ଦୋରାଇସ୍ୱାମୀ ୨୦୧୧ ମସିହାରେ ସାର୍କ ପ୍ରଭାଗର ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଥିଲେ। ୨୦୧୨ ମସିହାରେ ନୂଆଦିଲ୍ଲାରେ ଅନୁଷ୍ଠିତ ଚତୁର୍ଥ ବ୍ରିକ୍ସ ଶିଖର ସମ୍ମିଳନୀର କୋ-ଅର୍ଡିନେଟର (ସମନ୍ୱୟକ)ଥିଲେ। ଏହା ପରେ ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରାଳୟର ଆମେରିକା ଉପବିଭାଗରେ ଯୁଗ୍ମ ସଚିବ ନିଯୁକ୍ତ ହୋଇଥିଲେ। ବ୍ରିଟେନ ଯିବା ପୂର୍ବରୁ ଦୋରାଇସ୍ୱାମୀ ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୨ ମସିହା ପର୍ଯ୍ୟନ୍ତ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ ଭାବେ କାମ କରିଥିଲେ।