ଚେନ୍ନାଇ: ମୁଖ୍ୟମନ୍ତ୍ରୀ ସି.ବିଜୟ ଜୋସେଫଙ୍କ ପାର୍ଟି ତାମିଲଗା ଭେଟ୍ରି କଜଗମ (ଟିଭିକେ) ଡୋନେସନ ପାଇଥିବା ଘୋଷଣା କରିଛି। ଏହି ଡୋନେସନ ପାଖାପାଖି ୧୩.୩ କୋଟି ଟଙ୍କାର । ୨୦୨୬ ବର୍ଷରେ ପାର୍ଟିକୁ ମିଳିଥିବା ୯୯ ପ୍ରତିଶତ ଦାନ ଆଦବ ଅର୍ଜୁନ ଓ ଆରଭି ରଞ୍ଜିତ କୁମାର ଦେଇଛନ୍ତି । ତଥ୍ୟରୁ ଜଣା ପଡିଛି କ୍ରିଡା ଓ ପୂର୍ତ୍ତ ମନ୍ତ୍ରୀ ଅର୍ଜୁନ ୮.୨ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି । ଏହା ବାଦେ ସେ ୫ କୋଟି ଟଙ୍କା ମଧ୍ୟ ପାର୍ଟିକୁ ଦେଇଛନ୍ତି। ପାର୍ଟିକୁ ସବୁଠୁ ଅଧିର ଯୋଗଦାନ ଅର୍ଜୁନ ଦେଇଛନ୍ତି। ଟିଭିକେକୁ ୨୦୨୬ରେ ମିଳିଥିବା ଡୋନେସନର ୮୦ ପ୍ରତିଶତ କେବଳ ଅର୍ଜୁନ ଦେଇଛନ୍ତି। ତଥ୍ୟରେ ୫ଲକ୍ଷ ଟଙ୍କା ଲେଖାଏଁ ଆଉ ଦୁଇଟି ଦାନ ମଧ୍ୟ ରହିଛି।

ଥୁଥୁକୁଡିର ଲାୟନ୍ସ ଟାଉନ ସ୍ନୋ ସୋ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପାର୍ଟିକୁ ନିଜର ଯୋଗଦାନ ଦେଇଛି। ଟିଭିକେ ବ୍ୟତୀତ ଏଆଇଏଡିଏମକେ ୨୦୨୫-୨୬ରେ ପାର୍ଟିକୁ ମିଳିଥିବା ଦାନର ମଧ୍ୟ ଘୋଷଣା କରିଛି। ଏଥିରେ ଏଆଇଏଡିଏମକେକୁ ଏହି ସମୟରେ ୧୬୧.୩୫ କୋଟି ଟଙ୍କାର ସ୍ୱେଚ୍ଛାକୃତ ଦାନ ମିଳିଥିବାର ଘୋଷଣା କରାଯାଇଛି। ଏହାଛଡା ପାର୍ଟିକୁ ୧୯୧.୧୯ କୋଟି ଟଙ୍କାର ଯୋଗଦାନ ମଧ୍ୟ ମିଳିଛି। ଏଥିରେ ଟାଇଗର ଆସୋସିଏଟସ୍ ୧୨୫ କୋଟି ଟଙ୍କାର ଡୋନେସନ ସହିତ ସବୁଠୁ ବଡ଼ ରାଜନୈତିକ ଦାତା ଭାବେ ଉଭା ହୋଇଛି।

କୋଲକାତାର ଲଟେରୀ କମ୍ପାନୀ ଟାଇଗର ଆସୋସିଏଟସ୍ ଏକ ସେୟାର ବିଜନେସ୍ ପାର୍ଟନର ମାଧ୍ୟମରେ ଲଟେରୀ ବ୍ୟବସାୟୀ ସାଣ୍ଟିୟାଗୋ ମାର୍ଟିନ ସହ ଜଡିତ। ତାଙ୍କ ପାର୍ଟନର ସୁବ୍ୟନ ନାଗରାଜନ ମାର୍ଟିନଙ୍କ ପୁରୁଣା ସହଯୋଗୀ। ଫେବୃଆରୀ ୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ରଦ୍ଦ କରିବା ପୂର୍ବରୁ ମାର୍ଟିନଙ୍କ କମ୍ପାନୀ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍ ନିର୍ବାଚନୀ ବଣ୍ଡ କ୍ରୟ କରିବାରେ ସବୁଠୁ ବଡ଼ କମ୍ପାନୀ ଥିଲା। ନିର୍ବାଚନ ବଣ୍ଡ ମାଧ୍ୟମରେ ଫ୍ୟୁଚର ଗେମିଂ ଡିଏମକେକୁ ୫୦୯ କୋଟି ଟଙ୍କା ଦେଇଥିଲା।