ଭୁବନେଶ୍ୱର: ସାଉଥ୍ ସିନେମାର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ସାଉଥ୍ ସିନେମା ଇଣ୍ଡଷ୍ଟ୍ରିର ଏହି ଚର୍ଚ୍ଚିତ ଯୋଡ଼ିକୁ ଦର୍ଶକ ସବୁବେଳେ ପସନ୍ଦ କରିଆସିଛନ୍ତି । ଦୁହିଁଙ୍କ କେମିଷ୍ଟ୍ରି ପୁଣିଥରେ ପରଦାରେ ଦେଖିବାକୁ ମିଳୁଥିବାରୁ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ବଢ଼ିଛି । ଦୁହିଁଙ୍କ ଅପକମିଂ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠାରୁ ଜୋରଦାର କ୍ରେଜ୍ ଦେଖିବାକୁ ମିଳୁଛି। ତେବେ ଫିଲ୍ମର ରିଲିଜ୍ ଡେଟ୍କୁ ନେଇ ଏବେ ଏକ ବଡ଼ ଅପଡେଟ୍ ଆସିଛି। ସିନେମା ହଲରେ ରିଲିଜ ହେବନି ଦୁଇ ସାଉଥ ଷ୍ଟାରଙ୍କ ଫିଲ୍ମ । ପୂର୍ବ ଘୋଷିତ ତାରିଖରେ ଫିଲ୍ମଟି ରିଲିଜ୍ ହେବ ନାହିଁ ବୋଲି ଚର୍ଚ୍ଚା ମଧ୍ୟରେ ନୂଆ ତାରିଖକୁ ନେଇ ଖବର ଜୋର ଧରିଛି। ଦୁହିଁଙ୍କ ଆଗାମୀ ଫିଲ୍ମ ‘ରାଣାବଳୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢ଼ୁଛି। ଫିଲ୍ମଟି ପ୍ରଥମେ ୧୧ ସେପ୍ଟେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ଏବେ ଏହି ରିଲିଜ୍ ଡେଟ୍ ବଦଳିବା ନେଇ ଖବର ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୧ର ରିଲିଜ୍ ଡେଟ୍କୁ ଘୁଞ୍ଚାଇ ଅକ୍ଟୋବର ୩୦, ୨୦୨୬ରେ ଫିଲ୍ମଟିକୁ ରିଲିଜ୍ କରିବା ନେଇ ମେକର୍ସମାନେ ବିଚାର କରୁଛନ୍ତି। ତେବେ ଏହି ନୂଆ ତାରିଖ ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ରିପୋର୍ଟ ଅନୁସାରେ, ଫିଲ୍ମର ଶୁଟିଂ ଓ ପ୍ରସ୍ତୁତି କାମ ନିର୍ଦ୍ଧାରିତ ସମୟସୀମା ସହ ମେଳ ଖାଉନଥିବାରୁ ସେପ୍ଟେମ୍ବର ୧୧ର ଡେଡ୍ଲାଇନ୍ ନିର୍ଣ୍ଣୟ କରିବା କଷ୍ଟକର ହେଉଛି। ଏହାକୁ ନେଇ ରିଲିଜ୍ ଡେଟ୍ ପରିବର୍ତ୍ତନର ଚର୍ଚ୍ଚା ଆରମ୍ଭ ହୋଇଛି।

ରାହୁଲ ସାଙ୍କୃତ୍ୟାନଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ‘ରାଣାବଳୀ’ ଏକ ପିରିୟଡ୍ ଆକ୍ସନ୍ ଡ୍ରାମା ବୋଲି ଜଣାପଡ଼ିଛି। ଫିଲ୍ମରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଜାନୁଆରୀ ୨୦୨୬ରେ ଫିଲ୍ମର ଟାଇଟଲ୍ ଓ ପ୍ରଥମ ଝଲକ ସହ ସେପ୍ଟେମ୍ବର ୧୧ ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଫିଲ୍ମର କାହାଣୀ ୧୯ଶ ଶତାବ୍ଦୀର ପୃଷ୍ଠଭୂମି ଉପରେ ଆଧାରିତ। ରିପୋର୍ଟ ଅନୁସାରେ, ବ୍ରିଟିଶ ଶାସନ ସମୟରେ ୧୮୫୪ରୁ ୧୮୭୮ ମସିହା ମଧ୍ୟରେ ଘଟିଥିବା କିଛି ଐତିହାସିକ ଘଟଣାକୁ ଫିଲ୍ମର କାହାଣୀର ଆଧାର କରାଯାଇଛି। ମୈତ୍ରୀ ମୁଭି ମେକର୍ସ ବ୍ୟାନର ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ଟି-ସିରିଜ୍ ପ୍ରେଜେଣ୍ଟ କରୁଛି। ‘ରାଣାବଳୀ’କୁ ବଡ଼ ପରିସରରେ ନିର୍ମାଣ କରାଯାଇଥିବା ବେଳେ ପ୍ୟାନ୍-ଇଣ୍ଡିଆ ଦର୍ଶକଙ୍କୁ ନଜରରେ ରଖି ଫିଲ୍ମଟି ପ୍ରସ୍ତୁତ କରାଯାଇଛି। ଯଦି ଏହି ଖବର ସତ ହୁଏ, ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ଅପେକ୍ଷା ଆହୁରି ବଢ଼ିବ। ତେବେ ‘ରାଣାବଳୀ’ ଅକ୍ଟୋବର ୩୦ରେ ରିଲିଜ୍ ହେବ କି ନାହିଁ, ଏଥିପାଇଁ ମେକର୍ସଙ୍କ ଅଫିସିଆଲ୍ ଘୋଷଣାକୁ ନେଇ ରହିବ ଅପେକ୍ଷା ।

Also Read: ଜିନ୍ ଯୋଗୁଁ ୫ ବର୍ଷ ହେଲା ପୋଖରୀରେ ବିତୁଛି ଜୀବନ ; ପାଣିରୁ ବାହାରିଲେ ଜଳୁଛି ଦେହ !