କୋରାପୁଟ ୧୩।୭: କୋରାପୁଟର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଓସିସି ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟ୍ଟା ଭିଜିଲାନ୍ସ ଜାଲରେ । ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ରାଜ୍ୟର ୭ଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଥିବା ବେଳେ ବହୁ ମୂଲ୍ୟବାନ ସମ୍ପତ୍ତି ଓ ଦସ୍ତାବିଜ ଠାବ କରାଯାଇଛି ।

ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସଞ୍ଜୟ କୁମାର କିସପେଟ୍ଟାଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଏହି ତଲାସି କୋରାପୁଟର ଭଡ଼ା ଘର, କୁମ୍ଭା-୧ ମୌଜାରେ ଥିବା ୪ ମହଲା ହୋଟେଲ, କୁମ୍ଭା-୨ରେ ନିର୍ମାଣାଧୀନ ବାସଭବନ, ସୁନ୍ଦରଗଡ଼ର ପୈତୃକ ଘର ଓ ନିର୍ମାଣାଧୀନ ୩ ମହଲା କୋଠା ସହ ଭୁବନେଶ୍ୱର ଓ ବଲାଙ୍ଗିରର ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ କରାଯାଇଥିଲା ।

Also Read:- ରଥଯାତ୍ରା ପାଇଁ କ୍ରାଇମବ୍ରାଞ୍ଚର ବଡ଼ ପଦକ୍ଷେପ : ୯ ଫେକ୍ ହୋଟେଲ ୱେବପେଜ୍ ବନ୍ଦ, ୧୬ ଠକେଇ URL ବ୍ଲକ୍

କୋରାପୁଟରେ ୫ଟି ପ୍ଲଟ୍, ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଏବଂ ରାଉରକେଲାର ଲହୁଣୀପଡ଼ାରେ ୨ଟି ଦାମୀ ପ୍ଲଟ୍ ଠାବ କରାଯାଇଛି । ଏହାଛଡ଼ା କୋରାପୁଟରେ ଥିବା ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି । ତଲାସି ବେଳେ ଦୁଇଟି ଦାମୀ କାର୍, ଗୋଟିଏ ବୁଲେଟ୍, ଗୋଟିଏ ସ୍କୁଟି, ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ଜୀବନ ବୀମା ସମ୍ବନ୍ଧୀୟ କାଗଜପତ୍ର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଠାବ ହୋଇଛି । ତଲାସି ଏବେ ବି ଜାରି ରହିଛି । ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଓ ଯାଞ୍ଚ ଶେଷ ହେବା ପରେ ଜବତ ସାମଗ୍ରୀ ଓ ଆୟ ବହିର୍ଭୂତ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସହ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ।