ଭୁବନେଶ୍ବର ୯।୭: ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ସ୍ବାଗତ ପରେ ବିମାନବନ୍ଦରରୁ ସିଧାସଳଖ OUAT କ୍ୟାମ୍ପସକୁ ଯାଇଥିଲେ ଉପରାଷ୍ଟ୍ରପତି । ସେଠାରେ ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବା ସହ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ ।

Also Read:- ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ, ବଡ଼ଦେଉଳ ଉପରେ ଉଡ଼ିଲା ଡ୍ରୋନ୍

ସାଧାରଣତଃ ସମୂଦ୍ର କୂଳରୁ ୨୩ କିଲୋମିଟର ଭିତରେ ମାଛଧରା ସୀମିତ ରହିଥାଏ । “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ” କାର୍ଯ୍ୟକାରୀ ହେବା ଦ୍ଵାରା ଓଡ଼ିଶାର ମତ୍ସ୍ୟଜୀବୀମାନେ ୩୭୦ କିଲୋମିଟର ସୀମା ମଧ୍ୟରେ ମାଛ ଧରି ପାରିବେ । ଏହା ସହିତ ପ୍ରାଧିକରଣ ପତ୍ର ପାଇଥିବା ମତ୍ସ୍ୟଜୀବୀମାନେ ସୀମା ଅତିକ୍ରମ କରି ଅନ୍ତର୍ଜାତୀୟ ସମୁଦ୍ରରେ ମଧ୍ୟ ମାଛ ଧରି ପାରିବେ ।

କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।