ନୂଆଦିଲ୍ଲୀ ୦୩/୦୧: ବର୍ଷ ଆରମ୍ଭରୁ ବିଶ୍ୱରେ ଆଉ ଏକ ଯୁଦ୍ଧର ଅୟାମରମ୍ଭ । ଭେନେଜୁଏଲା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ପ୍ରଚଣ୍ଡ ଆକ୍ରମଣରେ ଥରି ଉଠିଲା ରାଜଧାନୀ କାରାକାସ । ମିଲିଟାରୀ ବେସ ଉପରେ ବି ବୋମାମାଡ଼ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ ହୋଇଛି । କାରାକାସରେ ଥିବା ନୌସେନା ଘାଟି ଉପରେ ଏହି ଆକ୍ରମଣ ହୋଇଛି ।

ପେଣ୍ଟାଗନ ନୌସେନା ଘାଟିକୁ ଟାର୍ଗେଟ୍ କରିଥିବା ଜଣାପଡିଛି ।ତେବେ ଏହି ବଡ଼ ଏୟାର ଷ୍ଟ୍ରାଇକ୍ ଫରେ ବିମାନ ଉଡ଼ାଣ ଉପରେ ଲାଗିଛି ପ୍ରତିବନ୍ଧକ । ଆମେରିକା ପ୍ରଶାସନ ଏଥିପାଇଁ ଏକ NOTAM ଜାରି କରିଛି। NOTAM ଅନୁଯାୟୀ, ଆମେରିକାର ବିମାନ କମ୍ପାନୀ, ଆମେରିକାରେ ପଞ୍ଜିକୃତ ବେସାମରିକ ବିମାନ ଓ FAA-ଲାଇସେନ୍ସପ୍ରାପ୍ତ ପାଇଲଟମାନେ ଭେନେଜୁଏଲାର ଆକାଶମାର୍ଗରେ କୌଣସି ଉଚ୍ଚତାରେ ଉଡ଼ିପାରିବେ ନାହିଁ ।

ଜାନୁଆରୀ ୩, ୨୦୨୬ ସକାଳ ୬ଟାରୁ ଜାନୁଆରୀ ୪,ସକାଳ ୫ଟା ପର୍ଯ୍ୟନ୍ତ ଏପରି ସ୍ଥିତି ବଳବତ୍ତର ରହିବ । ତଥାପି, ଏହି NOTAM ଆମେରିକୀୟ ସାମରିକ ଓ ସରକାରୀ ବିମାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହା ବ୍ୟତୀତ, ସ୍ୱତନ୍ତ୍ର ଅନୁମତି ପରେ କିଛି ବିମାନକୁ ଛାଡ କରାଯାଇପାରେ। ଜରୁରୀକାଳୀନ ପରିସ୍ଥିତିରେ, ବିମାନ ସୁରକ୍ଷା ପାଇଁ ପାଇଲଟ୍ ଅସ୍ଥାୟୀ ଭାବରେ ଏହି ନିର୍ଦ୍ଦେଶରୁ ବିଚ୍ୟୁତ ହୋଇପାରିବେ ।

ଏହି ନିର୍ଦ୍ଦେଶ ଆମେରିକୀୟ ଆଇନ ଅନୁଯାୟୀ ଏକ ଜରୁରୀକାଳୀନ ସୁରକ୍ଷା ନିର୍ଦ୍ଦେଶ ଭାବରେ ଜାରି କରାଯାଇଛି।ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଆଗାମୀ ଦିନରେ ଭେନେଜୁଏଲା ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇପାରେ । ଟ୍ରମ୍ପ ପ୍ରଶାସନ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଡୁରୋଙ୍କ ବିରୋଧରେ ଏକ ବିଦ୍ରୋହର ଆୟୋଜନ ମଧ୍ୟ କରିପାରେ ।

ଏହି ସୂଚନା ଆମେରିକୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଦ୍ୱାରା ରିପୋର୍ଟ କରାଯାଇଛି । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଏହି ଅଭିଯାନ ଏକ ଗୁପ୍ତ ଅଭିଯାନ ସହିତ ଆରମ୍ଭ ହୋଇପାରେ । ଗତ କିଛି ସପ୍ତାହ ମଧ୍ୟରେ, ଆମେରିକୀୟ ସେନା କାରିବିଆନରେ ବହୁ ସଂଖ୍ୟକ ଜାହାଜ, ବିମାନ ଓ ସୈନ୍ୟ ମୁତୟନ କରିଛି । ଯାହା ଫଳରେ ଦୁଇ ଦେଶ ମଧ୍ୟରେ ବଡ଼ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି।