ପୁରୀ ୨୧।୦୭ : ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପବିତ୍ର ହେରାପଞ୍ଚମୀ ନୀତି ପାଳିତ ହୋଇଛି । ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ।

ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା। ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ।

Also Read:-ବାହୁଡ଼ାରେ ଲଘୁଚାପ : ୨୨ ତାରିଖରୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ବେଶି ବିପଦ !

ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନଥିଲା। ମା ବିମଳାଙ୍କ ପରାମର୍ଶକ୍ରମେ ମା ମହାଲକ୍ଷ୍ମୀ ମୋହିନୀ ଚୂର୍ଣ୍ଣ ଧରି ଘଣ୍ଟ, ଛତା, କାହାଳୀ ସହ ପାଟ ପଟୁଆରରେ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରିଥିଲେ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ପରେ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଥିଲେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ବିଦ୍ୟାପତି କାଠଘୋଡା ଉପରେ ଚଢ଼ି କର୍ପୂର ବନ୍ଦାପନା, ବଳିତା ବନ୍ଦାପନା, ଚାଉଳ ବନ୍ଦାପନା, ବିଡ଼ିଆ ମଣୋହି କରିବା ପରେ ଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇ ମା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ପ୍ରାପ୍ତି ହୋଇଥିଲେ।

ସନ୍ଧ୍ୟାଧୂପ ପାଇଁ ଟେରା ପଡ଼ିଥିବାରୁ ଦର୍ଶନ ନକରି ଦହି ପଟି ମଣୋହି ପରେ ନାକଚଣା ଦ୍ୱାର ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ମା ମହାଲକ୍ଷ୍ମୀ।  ସକାଳଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନିରଥର ଦକ୍ଷିଣମୋଡ଼ ହେବା ସହ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।