ନୂଆଦିଲ୍ଲୀ: ରୁଷର କାମଚଟ୍‌କା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନୀ କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିନାହିଁ। ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ୪୫ ମିନିଟରେ ଏହି ଭୂମିକମ୍ପ ହୋଇଥିଲା। ଭୂପୃଷ୍ଠଠାରୁ ପ୍ରାୟ ୨୦୫ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା। 

ଅନ୍ୟପଟେ, ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା  ଏହାର ଗଭୀରତା ପ୍ରାୟ ୧୮୮ କିଲୋମିଟର ମାପିଥିବା ବେଳେ କାମଚଟକା ଉପଦ୍ୱୀପର ୟେଲିଜୋଭୋ ସହରଠାରୁ ପ୍ରାୟ ୬୨ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଏହାର କେନ୍ଦ୍ରସ୍ଥଳ ଥିବା ସ୍ପଷ୍ଟ କରିଛି। ସୂଚନା ଅନୁସାରେ, ୨୮ ନଭେମ୍ବର ୨୦୨୬ ସନ୍ଧ୍ୟା ୬ଟା ୪୫ ମିନିଟ୍ ୦୯ ସେକେଣ୍ଡରେ ରୁଷରେ ୬.୭ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଭୂବିଜ୍ଞାନୀମାନେ ଏହାକୁ ଏକ ମଧ୍ୟମ-ଗଭୀରତା ବିଶିଷ୍ଟ ଭୂକମ୍ପ ଭାବରେ ବର୍ଗୀକୃତ କରିଛନ୍ତି। 

ସୂଚନାଯୋଗ୍ୟ, କାମଚଟକା ଅଞ୍ଚଳ ଭୂକମ୍ପପ୍ରବଣ 'ପାସିଫିକ୍ ରିଙ୍ଗ୍ ଅଫ୍ ଫାୟାର' ଅଞ୍ଚଳରେ ଅବସ୍ଥିତ। ଏଠାରେ ପ୍ରଶାନ୍ତ ମହାସାଗରୀୟ ଟେକ୍ଟୋନିକ୍ ପ୍ଲେଟ୍ ତଳକୁ ଗତି କରୁଥିବାରୁ ଏହି ଅଞ୍ଚଳରେ ବାରମ୍ବାର ଭୂମିକମ୍ପ ହୋଇଥାଏ। ଏହା ପୂର୍ବରୁ ଗତ ୨୦୨୫ ମସିହା ଜୁଲାଇ ୩୦ ତାରିଖରେ ଏହି ଅଞ୍ଚଳର ପୂର୍ବ ଉପକୂଳରେ ୮.୮ ତୀବ୍ରତାର ଏକ ଅତି ଭୟଙ୍କର ଭୂମିକମ୍ପ ହୋଇଥିଲା। ରୁଷୀୟ ବୈଜ୍ଞାନିକଙ୍କ ମତରେ ଏହା ୧୯୫୨ ମସିହା ପରେ ସେହି ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା ।  ୧୯୦୦ ମସିହା ପରଠାରୁ ବିଶ୍ୱରେ ରେକର୍ଡ କରାଯାଇଥିବା ବୃହତ୍ତମ ଭୂକମ୍ପଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା।