ଭୁବନେଶ୍ୱର ୨୯।୧୧ : ସୀମା ପୁନଃନିର୍ଦ୍ଧାରଣ ଓ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମହିଳାଙ୍କୁ ସମକକ୍ଷ କରିବା ଏବଂ ସେମାନଙ୍କୁ ଅଧିକାର ଦେବା ଦେଶ ସହ ସମସ୍ତ ରାଜନୈତିକ ଦଳର ଦାୟିତ୍ୱ । ତେଣୁ ଏହି ବିଲ୍କୁ ସମସ୍ତେ ସମର୍ଥନ କରିବା ଉଚିତ, ଏଥିରେ ଦ୍ୱନ୍ଦ୍ୱ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ।

ସେହିପରି ବିଜେଡିର ନିଷ୍ପତ୍ତିକୁ ନେଇ ସେ କହିଛନ୍ତି, ଏହା ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର । ସେମାନେ ଆଲୋଚନା କରି ନିଷ୍ପତ୍ତି ନେବେ । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଦଳମତ, ଜାତି ଓ ଧର୍ମରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ବିଲ୍କୁ ସମର୍ଥନ କରିବା ଉଚିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ବିଜେଡି ଲୋକସଭାରେ ନିଜର ସାଂସଦ ନଥିବାରୁ ଏହି ପ୍ରସଙ୍ଗରେ ତୁରନ୍ତ ମତାମତ ଦେବାକୁ ମନା କରିଥିବା କଥା ଉଲ୍ଲେଖ କରି ମନମୋହନ କହିଛନ୍ତି, ରାଜ୍ୟସଭାରେ ବିଜେଡିର ସାଂସଦ ଅଛନ୍ତି । ତେଣୁ ନିଷ୍ପତ୍ତି ନେବା ପାଇଁ ଦଳ ପାଖରେ ଦୁଇ ଦିନ ସମୟ ରହିଛି । ସେମାନେ ଆଲୋଚନା କରି ନିଜର ମତ ରଖିପାରିବେ ।

Also Read:-ବିଲ୍‌ ଆସିଲେ ନିଷ୍ପତ୍ତି ନେବ ବିଜେଡି, ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ ହେଲେ କରିବ ବିରୋଧ

ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ସରକାରଙ୍କ ପ୍ରତିବଦ୍ଧତା ରହିଛି । ଏହି ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ କରିବା ଆବଶ୍ୟକ । ଏଥିରେ ଦଳ, ମତ, ଜାତି, ଧର୍ମ କିମ୍ବା ବର୍ଣ୍ଣର ସ୍ଥାନ ରହିବା ଉଚିତ ନୁହେଁ । ଦେଶର ମହିଳାଙ୍କ ସ୍ୱପ୍ନ ପୂରଣ ଏବଂ ସାମ୍ବିଧାନିକ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସମସ୍ତେ ଏକାଠି ହେବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ମନମୋହନ ସାମଲ ।