ମୁମ୍ବାଇ/ଭାସାଇ: ମହାରାଷ୍ଟ୍ରର ଭାସାଇ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ୨୬ ବର୍ଷୀୟ ଯୁବ ଇଞ୍ଜିନିୟରଙ୍କୁ ତାଙ୍କର ବିବାହିତା ପ୍ରେମିକା, ତାଙ୍କ ସ୍ୱାମୀ ଏବଂ ଭାଇ ମିଶି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ଶବକୁ ଏକ ସବୁଜ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍‌ରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଗତବର୍ଷ ମେରଠରେ ଘଟିଥିବା ବହୁଚର୍ଚ୍ଚିତ 'ଡ୍ରମ୍ ମର୍ଡର' କେସ୍‌ର ସ୍ମୃତିକୁ ପୁଣି ତାଜା କରିଦେଇଛି।

ଟଙ୍କା ପାଇଁ ପ୍ରେମ, ତା’ପରେ ହତ୍ୟାକାଣ୍ଡ

ମୃତ ଯୁବକଜଣକ ହେଉଛନ୍ତି ମୁମ୍ବାଇ ମୁମ୍ବ୍ରା ଅଞ୍ଚଳର ଆରବାଜ୍ ମାକସୁଦ୍ ଅଲ୍ଲୀ ଖାନ୍। ପୋଲିସ ସୂଚନା ଅନୁଯାୟୀ, ୨୦୨୧ ମସିହାରୁ ଆରବାଜ୍‌ଙ୍କର ଭାସାଇର ରହୁଥିବା ୨୫ ବର୍ଷୀୟା ମେହଜାବିନ୍ ଖାତୁନ୍‌ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମେହଜାବିନ୍ ବିବାହିତା ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ଚାଲିଥିଲା। ତେବେ ଧୀରେ ଧୀରେ ମେହଜାବିନ୍ ଆରବାଜ୍‌ଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ ଏବଂ ଆରବାଜ୍ ମଧ୍ୟ ପ୍ରତିମାସରେ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ସମ୍ପର୍କରେ ତିକ୍ତତା ସେତେବେଳେ ଆସିଲା, ଯେତେବେଳେ ଆରବାଜ୍ ପ୍ରତିମାସରେ ମୋଟା ଅଙ୍କର ଟଙ୍କା ଦେବା ବନ୍ଦ କରିଦେଇଥିଲେ।

ଟଙ୍କା ନଦେବାରୁ ରଚାଗଲା ମୃତ୍ୟୁର ଚକ୍ରବ୍ୟୂହ

ଗତ ଏପ୍ରିଲ ୩ ତାରିଖରେ ଆରବାଜ୍ କମ୍ପାନୀ କାମରେ ଦାଦର ଯାଇଥିଲେ, ମାତ୍ର ଆଉ ଘରକୁ ଫେରିନଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମୁମ୍ବ୍ରା ପୋଲିସ ଯେତେବେଳେ ଆରବାଜ୍‌ଙ୍କ ମୋବାଇଲ୍ ଲୋକେସନ ଓ କଲ୍ ଡିଟେଲ୍ସ (CDR) ଯାଞ୍ଚ କଲା, ସେତେବେଳେ ଜଣାପଡ଼ିଲା ଯେ ନିଖୋଜ ହେବା ଦିନ ସେ ମେହଜାବିନ୍‌ଙ୍କ ଭାସାଇ ସ୍ଥିତ ଘରକୁ ଯାଇଥିଲେ। ଏପରିକି ନିଖୋଜ ହେବାର ଗୋଟିଏ ଦିନ ପୂର୍ବରୁ ସେ ମେହଜାବିନ୍‌ଙ୍କୁ ୫୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ।

ପ୍ଲାଷ୍ଟିକ୍ ପାଇପ୍‌ରେ ପିଟି ପିଟି ମାରିଦେଲେ

କଡ଼ା ପଚରାଉଚରା ପରେ ମେହଜାବିନ୍ ନିଜର ଅପରାଧ ସ୍ୱୀକାର କରିଛି। ସେ ଆରବାଜ୍‌ଙ୍କୁ ଟଙ୍କା ମାଗିବା ପାଇଁ ନିଜ ଘରକୁ ଡାକିଥିଲେ। ସେଠାରେ ମେହଜାବିନ୍, ତାଙ୍କ ସ୍ୱାମୀ ହସନ ଶେଖ୍, ଭାଇ ତାରିଖ୍ ଏବଂ ସାଙ୍ଗ ମୋଜାମ ମିଶି ଆରବାଜ୍‌ଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ତାଙ୍କ ପାଖରୁ କିଛି ମୂଲ୍ୟବାନ ସାମଗ୍ରୀ ନମିଳିବାରୁ ଏକ ପ୍ଲାଷ୍ଟିକ୍ ପାଇପ୍‌ରେ ତାଙ୍କୁ ନିର୍ମମ ଭାବେ ପିଟିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ଆରବାଜ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଶବକୁ ଲୁଚାଇବା ପାଇଁ ଏକ ସବୁଜ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଭର୍ତ୍ତି କରି ଏକ ନିଛାଟିଆ ନାଳରେ ଫିଙ୍ଗି ଦେଇଥିଲେ।

୨ ଗିରଫ, ୨ ଫେରାର

ପୋଲିସ ଏହି ମାମଲାରେ ମେହଜାବିନ୍ ଏବଂ ତାଙ୍କ ଭାଇ ତାରିଖ୍ ଶେଖ୍‌ଙ୍କୁ ଗିରଫ କରିଥିବା ବେଳେ ସ୍ୱାମୀ ହସନ ଓ ଅନ୍ୟ ଜଣେ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଅପହରଣ, ହତ୍ୟା ଏବଂ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଧାରାରେ ମାମଲା ରୁଜୁ କରାଯାଇଛି।

ମେରଠ ‘ବ୍ଲୁ ଡ୍ରମ୍ ମର୍ଡର’ର ସ୍ମୃତି

ଏହି ଘଟଣା ଗତ ଫେବୃଆରୀ ୨୦୨୫ରେ ଉତ୍ତର ପ୍ରଦେଶର ମେରଠରେ ଘଟିଥିବା ହତ୍ୟାକାଣ୍ଡ ସଦୃଶ ଅଟେ। ସେଠାରେ ଜଣେ ମର୍ଚ୍ଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ଓ ପ୍ରେମିକ ମିଶି ଶୋଇଥିବା ଅବସ୍ଥାରେ ହତ୍ୟା କରିଥିଲେ। ପରେ ଶବକୁ ୧୫ ଖଣ୍ଡ କରି ଏକ ନୀଳ ରଙ୍ଗର ଡ୍ରମ୍‌ରେ ଭର୍ତ୍ତି କରି ସିମେଣ୍ଟରେ ସିଲ୍ କରି ଦେଇଥିଲେ। ଭାସାଇର ଏହି ସବୁଜ ଡ୍ରମ୍ ହତ୍ୟାକାଣ୍ଡ ଏବେ ପୁଣି ଥରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି।