ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଆମରଣ ଅନଶନ ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ଓ୍ଵାଙ୍ଗଚୁକ ଏକ ନୂଆ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେ ବୁଧବାର ପଦଯାତ୍ରା ଆରମ୍ଭ କରି ପାରନ୍ତି।  ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଲଦାଖ ସଂପର୍କିତ ଦାବିକୁ ନେଇ ସରକାରଙ୍କ ଉପରେ ଚାପ ପକାଇବା। ସୋନମ ଓ୍ଵାଙ୍ଗଚୁକଙ୍କ ଏହି ଆନ୍ଦୋଳନ ସେହି ସମୟରେ ଆରମ୍ଭ ହେଉଛି, ଯେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଗୋଟିଏ ବର୍ଷ ପୂରିବାକୁ ଯାଉଛି। ଗତ ବର୍ଷ ଲଦାଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ଓ୍ଵାଙ୍ଗଚୁକ ସେପ୍ଟେମ୍ବର ୨୩ରେ ୨୦ କିମି ପଦଯାତ୍ରା କରିବେ। ଏହା ପରେ ସେପ୍ଟେମ୍ବର ୨୪ରେ ସହିଦ ଦିବସ ପାଳନ କରିବେ। ଗତ ସପ୍ତାହରେ ମଧ୍ୟ ଓ୍ଵାଙ୍ଗଚୁକଙ୍କ ସମେତ ଅନେକ ନେତା ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଆନ୍ଦୋଳନର ଘୋଷଣା କରିଥିଲେ। ଏହି ଘୋଷଣା ପୂର୍ବରୁ ଗୋଟିଏ ଟିମ୍ ବିଭିନ୍ନ ଦାବି ନେଇ ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଏହି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଖରାପ ପାଣିପାଗ କାରଣରୁ ପରବର୍ତ୍ତୀ ଆଲୋଚନା ବୈଠକୁ ଘୁଞ୍ଚାଇ ଦିଆ୍ଯାଇଥିଲା।

Also Read: IIT ବମ୍ବେରେ ଛାତ୍ର ଆତ୍ମହତ୍ୟା ଘଟଣା: ଆନ୍ଦୋଳନ ଆଗରେ ନଇଁଲା ପ୍ରଶାସନ, ୧୮ ଦାବି ଗ୍ରହଣ ସହ ପ୍ରଫେସର ନିଲମ୍ବିତ

ଆନ୍ଦୋଳନକୁ ନେଇ କ୍ଷେତ୍ର ପ୍ରସ୍ତୁତି

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ନୂଆ ପଦଯାତ୍ରାରେ ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି। ଲଦାଖର ସ୍ୱାର୍ଥ, ପରିବେଶ ସୁରକ୍ଷା ଏବଂ ସାଂବିଧାନିକ ଅଧିକାରକୁ ନେଇ ସେ ଦୀର୍ଘ ଦିନ ହେବ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଏବେ ଦୁଇ ଦିନ ପରେ ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଉପରେ କିପ୍ରକାର ଚାପ ପକାଉଛି, ତାହା ଦେଖିବାକୁ ବାକି ରହିଲା।

ଅଭିଜିତ୍ ଦୀପକେଙ୍କ ଭୂମିକାକୁ ନେଇ ସସପେନ୍ସ

ଅପରପକ୍ଷରେ, ଯୁବ ନେତା ତଥା ସାମାଜିକ କର୍ମୀ ଅଭିଜିତ୍ ଦୀପକେ ଏହି ଆନ୍ଦୋଳନରେ ଯୋଗଦେବେ କି ନାହିଁ, ତାହାକୁ ନେଇ ସନ୍ଦେହ ଲାଗିରହିଛି। ପୂର୍ବରୁ ଅନେକ ବିକ୍ଷୋଭ ଓ ଆନ୍ଦୋଳନରେ ଅଭିଜିତ୍ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନର ଏହି ନୂଆ ପଦଯାତ୍ରାରେ ସେ ସୋନମ୍ ୱାଙ୍ଗଚୁକ୍ଙ୍କ ସହ ସାମିଲ ହେବେ କି ନାହିଁ, ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।