ନୂଆଦିଲ୍ଲୀ ୧୮।୧୨: ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କା ଲଗାତାର ଦୁର୍ବଳ ହେବାରେ ଲାଗିଛି। ଏଣୁ ନିବେଶକ ଓ ସେୟାର ବଜାର ଉଭୟ ଏବେ ଚାପରେ । ମଙ୍ଗଳବାର ଡଲାର ତୁଳନାର ଟଙ୍କାର ମୂଲ୍ୟ ୯୧ ଟଙ୍କାକୁ ପହଞ୍ଚିଥିଲା, ତେବେ ବୁଧବାର ଏଥିରେ ମାମୁଲି ସୁଧାର ଦେଖାଯାଇଛି। ଏଥିରେ ମାର୍କେଟ୍ ଏକ୍ସପର୍ଟ ତଥା ‘ସେନ୍ସ ଆଣ୍ଡ ସିମ୍ପ୍ଲିସିଟି’ ଫାଉଣ୍ଡର ସୁନୀଲ ସୁବ୍ରମଣ୍ୟମ କହିଛନ୍ତି ଯେ ଟଙ୍କାର ଏପରି ମୂଲ୍ୟ ହ୍ରାସ ଅର୍ଥନୀତିର ଦୁର୍ବଳତା ନୁହେଁ ବରଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ରଣନୀତିର ଅଂଶବିଶେଷ। ତାଙ୍କ ଅନୁସାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇ ପାରେ।

ସୁବ୍ରମଣ୍ୟମଙ୍କ କହିବା କଥା ହେଉଛି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ସତର୍କ ଘଣ୍ଟି ନୁହେଁ। ଏହି ପଦକ୍ଷେପ ଭାରତ ଉପରେ ଲାଗୁ ଆମେରିକା ଟାରିଫର ମୁକାବିଲା କରିବାରେ ସହାୟକ ହୋଇପାରେ। ସେ କହିଛନ୍ତି ଯେ ଆରବିଆଇ କେବଳ ଡଲାର ଓ ଟଙ୍କା ମୂଲ୍ୟ ଉପରେ ନଜର ରଖନ୍ତିନି ବରଂ ଏକ୍ସପର୍ଟ-ଇମ୍ପୋର୍ଟ, କ୍ରୁଡ ଅଏଲ ପ୍ରାଇସ୍ ଓ ଅନ୍ୟ ଆର୍ଥିକ ସଂକେତ ଉପରେ ମଧ୍ୟ ନଜର ରଖନ୍ତି। ଯେତେବେଳେ ଆରବିଆଇ ଅନୁଭବ କରିବେ ଦଖଲ ଦେବା ଜରୁରି ସେତେବେଳେ ସେ କାର୍ଯ୍ୟାନୁଷ୍ଠାନ କରିବେ।

ତେବେ ଟଙ୍କା ଏବେ ତାର ଉଚିତ ସ୍ତରର ସନ୍ଧାନ କରୁଛି। ଗତ ୧ ବର୍ଷରୁ ଅଧିକ ସମୟ ହେଲା ଟଙ୍କା ଚାପରେ ରହିଛି। ହେଲେ ବି ଆରବିଆଇ ଜାଣିଶୁଣି ଏହାକୁ ହ୍ରାସ ହେବାକୁ ଦେଉଛନ୍ତି, ଯାହା ଦ୍ୱାରା ଟାରିଫରୁ ପ୍ରଭାବକୁ କମ କରାଯାଇ ପାରିବ। ଏକ୍ସପର୍ଟଙ୍କ ଅନୁସାରେ ଟଙ୍କାର ସଠିକ ସନ୍ତୁଳନ ୧୦୦ ଟଙ୍କା ଆଖପାଖରେ ରହିବ। ଯେତେବେଳେ ଟଙ୍କାର ମୂଲ୍ୟ ଏହି ସ୍ତରକୁ ପହଞ୍ଚିବ ସେତେବେଳେ ଆମେରିକୀୟ ଟାରିଫର ପ୍ରଭାବକୁ ନିୟନ୍ତ୍ରିତ କରାଯାଇ ପାରିବ। ସେ କହିଛନ୍ତି ଯେ ଆରବିଆଇଙ୍କ ନିକଟରେ ୭୦୦ ବିଲିୟନ ଡଲାରର ରିଜର୍ଭ ରହିଛି, ଯାହା ଆବଶ୍ୟକ ପଡିଲେ ବିଦେଶୀ ମୁଦ୍ରା ବଜାରରେ ଦଖଲ ଦେବାକୁ ପର୍ଯ୍ୟାପ୍ତ ହେବ।

ସୁବ୍ରମଣ୍ୟମ ଟଙ୍କା ମୂଲ୍ୟ ହ୍ରାସ ପଛର ଦୁଇଟି କାରଣ ଦର୍ଶାଇଛନ୍ତି। ଏଥିରୁ ପ୍ରଥମ କାରଣଟି ହେଲା ଲୋକେ ଗୋଲ୍ଡ ଇଟିଏଫରେ ନିବେଶ କରୁଛନ୍ତି, ଯାହା ଡଲାରରେ ହୋଇଥାଏ। ଏଣୁ ଏହାର ପ୍ରଭାବ ଟଙ୍କା ଉପରେ ପଡୁଛି ଓ ଏହାର ମୂଲ୍ୟ ହ୍ରାସ ହେଉଛି। ଏହି ସମୟରେ ଭାରତ-ଆମେରିକା ଟ୍ରେଡ ଡିଲର ଅନିଶ୍ଚିତତା ମଧ୍ୟ ଟଙ୍କାକୁ ଦୁର୍ବଳ କରୁଛି। ତେବେ ସେ କହିଛନ୍ତି ଯେ ବିଦେଶୀ ନିବେଶକ (ଏଫଆଇଆଇଏସ)ଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଟଙ୍କାକୁ ମଜଭୁତ କରିପାରେ।