ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ମାତ୍ର ୧୫ ବର୍ଷ । ଏତେ କମ୍‌ ବୟସରେ ସେ ହାସଲ କରିଛନ୍ତି ଅବିଶ୍ବସନୀୟ ସଫଳତା । ଆଇପିଏଲରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର ତାଜୁବ । ତାଙ୍କର ଟେକନିକ୍‌, ବଡ଼ ବୋଲରଙ୍କୁ ପ୍ରବଳ ପ୍ରହାର କରିବାର ତରିକା ଦେଖି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ବି ଅବାକ । କ୍ରିକେଟ ପଡ଼ିଆରେ ନିଜର ପ୍ରତିଭା ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଥିବା ବୈଭବଙ୍କ ସଂପତ୍ତି ତାଲିକା ଖୁବ ଲମ୍ବା । ଅର୍ଥାତ, ବିଭବଶାଳୀ ବୈଭବ ସୂର୍ଯ୍ୟବଂଶୀ । ମ୍ୟାଚ୍‌ ଫି’ ଠାରୁ ଆରମ୍ଭ କରି ବ୍ରାଣ୍ଡ ପ୍ରମୋସନ୍‌ ପର୍ଯ୍ୟନ୍ତ, ସବୁ ଦିଗରୁ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ।  ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି (Net Worth) ପ୍ରାୟ ୫ କୋଟିରୁ ୭ କୋଟି ଟଙ୍କା ହେବ । ଆଗାମୀ ଆଇପିଏଲ ନିଲାମୀରେ ଏହି ଅର୍ଥ ୧୦ କୋଟି ଟଙ୍କା ଅତିକ୍ରମ କରିପାରେ ।  

ଆଇପିଏଲ୍ (IPL) ରୁ ଆୟ
 ବୈଭବ ରାଜସ୍ଥାନ ରୟାଲ୍ସ (Rajasthan Royals) ପକ୍ଷରୁ ଖେଳି ଚଳିତ ସିଜନରେ କେବଳ ଆଇପିଏଲ୍‌ରୁ ୨.୫ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି।  ମ୍ୟାଚ୍ ପିଛା ₹୭.୫ ଲକ୍ଷ ଟଙ୍କା ହିସାବାରେ ମୋଟ ୧୬ଟି ମ୍ୟାଚ୍‌ରେ ୧.୧୦ କୋଟି ଟଙ୍କା ଆୟ କରିଛନ୍ତି ବୈଭବ । ସେହିଭଳି ଅରେଞ୍ଜ କ୍ୟାପ୍ ବିଜେତା ଭାବରେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।  ସୁପର ସିକ୍ସେସ୍ ଏବଂ ଏମର୍ଜିଂ ପ୍ଲେୟାର୍ ଆୱାର୍ଡ ବାବଦରେ ୨୦ ଲକ୍ଷ ଟଙ୍କା ପାଇଛନ୍ତି ବୈଭବ । ସୁପର ଷ୍ଟ୍ରାଇକର ଆୱାର୍ଡ ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । 

ଘରୋଇ କ୍ରିକେଟ୍ ଓ ନଗଦ ପୁରସ୍କାର
ଭାରତର ୧୯ ବର୍ଷରୁ କମ (U-19) ବିଶ୍ୱକପ୍ ବିଜୟରେ 'ପ୍ଲେୟାର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ହେବା ପରେ ବିଭିନ୍ନ ରାଜ୍ୟ ସରକାର ଏବଂ କ୍ରିକେଟ୍ ବୋର୍ଡ ତରଫରୁ ତାଙ୍କୁ ୫୦ ଲକ୍ଷରୁ ଅଧିକ ନଗଦ ପୁରସ୍କାର ମିଳିଛି। ଏହା ବ୍ୟତୀତ ବିହାର କ୍ରିକେଟ୍ ଆସୋସିଏସନ ପକ୍ଷରୁ ରଣଜୀ ଟ୍ରଫି ଖେଳିବା ପାଇଁ ସେ ନିୟମିତ ମ୍ୟାଚ୍ ଫି ଏବଂ ଭତ୍ତା ପାଉଛନ୍ତି।ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ବା ବିଜ୍ଞାପନରୁ ପ୍ରଚର ଅର୍ଥ ଆୟ କରୁଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଖେଳ ସହିତ ବୈଭବଙ୍କ ବ୍ରାଣ୍ଡ୍ ଭାଲ୍ୟୁ ମଧ୍ୟ ବହୁତ ବଢ଼ିଯାଇଛି । କମ୍ପ୍ଲାନ (Complan) ଏବଂ ରେଡ୍ ବୁଲ୍ (Red Bull) ଭଳି ବଡ଼ ବ୍ରାଣ୍ଡ୍ ସହିତ ତାଙ୍କର ଚୁକ୍ତି ରହିଛି, ଯେଉଁଥିରୁ ସେ ପ୍ରତ୍ୟେକ ବ୍ରାଣ୍ଡ୍‌ରୁ ପ୍ରାୟ ୧ କୋଟି ଟଙ୍କା ଲେଖାଏଁ ପାଉଛନ୍ତି। ବର୍ତ୍ତମାନ ତାଙ୍କର ଲୋକପ୍ରିୟତାକୁ ଦେଖି ବ୍ରାଣ୍ଡ୍ ଫି ପ୍ରତି ଡିଲ୍‌ ପିଛା ୧.୫ କୋଟିରୁ ୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।ତାଙ୍କ ବ୍ୟାଟ୍ ସ୍ପୋନ୍ସରସିପ୍ ବାବଦକୁ ସେ ବାର୍ଷିକ ପ୍ରାୟ ୫୦ ଲକ୍ଷ ପାଉଛନ୍ତି।

ବୈଭବଙ୍କ କାର୍ କଲେକ୍ସନ ଓ ଘର
ଟ୍ରେନିଂ ଏବଂ ଯାତାୟତ ସୁବିଧା ପାଇଁ ମୁମ୍ବାଇରେ ପ୍ରାୟ ୩ କୋଟି ଟଙ୍କାର ଘର ରହିଛି । ବିହାରର ତାଜପୁରରେ ପୈତୃକ ଘରକୁ ୬୦ ଳକ୍ଷ ଟଙ୍କା ଖର୍ଚ୍ଚ କରି ନବୀକରଣ କରାଯାଇଛି । ଏହା ବ୍ୟତୀତ ବୈଭବଙ୍କ ପାଖରେ ଏକାଧିକ ଦାମୀ କାର ରହିଛି । ରାଜସ୍ଥାନ ରୟାଲ୍ସର ମାଲିକ ବୈଭବଙ୍କୁ ୧ କୋଟି ଟଙ୍କାର ମର୍ସିଡିଜ୍-ବେଞ୍ଜ  ଗିଫ୍ଟ କରିଛନ୍ତି । ଗତବର୍ଷ ଆଇପିଏଲରେ ସର୍ବାଧିକ ଷ୍ଟ୍ରାଇକ ରେଟ୍‌ ଲାଗି ତାଙ୍କୁ ୨୨ ଲକ୍ଷ ଟଙ୍କାର ଟାଟା କର୍ଭ ଉପହାର ମିଳିଥିଲା । ସେହିଭଳି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବୈଭଙ୍କୁ ଟାଟା ସିଏରା ମଧ୍ୟ ମିଳିଛି । ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଯେଉଁ ସଫଳତା ସାଉଣ୍ଟିଛନ୍ତି, ତାହା କେବଳ ତାଙ୍କ କଠିନ ପରିଶ୍ରମ ଓ ଅସାଧାରଣ ପ୍ରତିଭାର ପରିଣାମ ।