ନୂଆଦିଲ୍ଲୀ,୧୭|୦୬:ସାମ୍ନାରେ ଥିଲେ ଶ୍ରୀଲଙ୍କାର ୧୧ ଖେଳାଳି । ଭାରତ ହାରିଥିବାରୁ ସ୍ଲେଜିଂ କରୁଥିଲେ । କ୍ରିଜରେ ପରାସ୍ତ ହେଲା ପରେ ପ୍ୟାଭିଲିୟନ ଫେରୁଥିଲେ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । କିନ୍ତୁ ଶ୍ରୀଲଙ୍କା ଖେଳାଳିଙ୍କ ଉପହାସ ଅସହ୍ୟ ହେଲା । ପଛକୁ ଫେରି ଜବାବ ଦେଲେ ବୈଭବ । ଏପରିକି ହାତାହାତି ଯାଏଁ କଥା ଉଠିଲା । ଯାହାକୁ ନେଇ ବିବାଦ ଦେଖାଦେଇଛି । ଭାରତ ଏ-ଶ୍ରୀଲଙ୍କା-ଏ ଏବଂ ଆଫଗାନିସ୍ତାନ-ଏ ମଧ୍ୟରେ ଖେଳାଯାଉଥିବା ତ୍ରିକୋଣୀୟ ସିରିଜରେ ଏପରି ଅଭାବନୀୟ ଘଟଣା କ୍ରିକେଟ୍ ଜଗତକୁ ନିନ୍ଦିତ କରିଛି ।

ରିପୋର୍ଟ ଅନୁସାରେ, ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦଳ ୨୬୫ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ମଧ୍ୟ ୨୬୫ ରନରେ ଅଟକି ଥିଲା । ଫଳରେ ମ୍ୟାଚ୍ ଟାଇ ହୋଇଥିଲା । ଏହାପରେ ସୁପର୍ ଓଭରରେ ବାହାରିଥିଲା ମ୍ୟାଚର ଫଇସଲା । ସୁପର ଓଭରକୁ ଶ୍ରୀଲଙ୍କା ଜିତି ନେଇଥିଲା । ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏବଂ ସୁର୍ଯ୍ୟାଂଶ ସେଡଗେ ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ ଚେଜ୍ କରିବାରେ ବିଫଳ ହୋଇଥିଲେ । ପରାସ୍ତ ହେଲା ପରେ ବ୍ୟାଭିଲିୟନ ଫେରିବା ପରେ ଅପ୍ରୀତିକର ସ୍ଥିତି ଉପୁଜିଥିଲା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ।

ବିସିସିଆଇର ପ୍ରତିକ୍ରିୟା

ବିସିସିଆଇ ସଚିବ ଦେବଜିତ ସାଇକିୟା କହିଛନ୍ତି ଯେ, ୧୫ ବର୍ଷୀୟ ବୈଭବ କିପରି ସିନିଅର୍ ଟିମରେ ସହଜ ମନେ କରିବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତାଙ୍କୁ ପରିବାର ସହ ଯିବାକୁ ଅନୁମତି ମିଳିଛି । ଆୟାରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ସେ ୭ଟି ମୁକାବିଲା ଖେଳିବେ । କେଉଁ ଦେଶର ସିନିଅର ଟିମରେ ୧୪-୧୫ ବର୍ଷୀୟ ତାରକା ଦେଖିବାକୁ ମିଳନ୍ତି ନାହିଁ । ବହୁତ ବର୍ଷ ପରେ ଭାରତ ବୈଭବଙ୍କ ଭଳି ଜଣେ ବ୍ୟାଟରଙ୍କୁ ପାଇଛି । ଯେତେ ଯାହା ହେଲେବି ବୈଭବ ଜଣେ ଶିଶୁ ଅଟନ୍ତି ।

ସେ ଆହୁରି କହିଛନ୍ତି ଯେ, ସୋସିଆଲ ମିଡିଆରେ ବୈଭବଙ୍କ ବିରୋଧରେ ବିସିସିଆଇ ଆକ୍ସନ ନେବ ବୋଲି କୁହାଯାଉଛି । ଏସବୁ ଖବର ମିଛ । ଶ୍ରୀଲଙ୍କା ଖେଳାଳି ଭିଶେନ୍ ହାଲମବାଗେଙ୍କ ଉତ୍ତେଜନାମୂଳକ କଥା ଶୁଣି ବୈଭବ ରାଗି ଯାଇଥିଲେ । ବିସିସିଆଇ ମ୍ୟାଚ୍ ରେଫରି ନୁହେଁ । ତେଣୁ କଣ ନିଷ୍ପତ୍ତି ନିଆଯିବ ତାହା ମ୍ୟାଚ୍ ରେଫରି ସ୍ଥିର କରିଥାନ୍ତି ।

ଏହାବ୍ୟତୀତ ସାଇକିୟା କହିଛନ୍ତି ଯେ, ମ୍ୟାଚରେ ଯାହା ଘଟିଲା ଏହା ଖେଳର ଏକ ଅଂଶ । ବିସିସିଆଇ ଏଥିରେ କୌଣସି ଭୂମିକା ନାହିଁ । ଯଦି କିଛି ଭୁଲ ହୁଏ ତାହାଲେ ବିସିସିଆଇ ନିଷ୍ପତ୍ତି ନେବ । ଅମ୍ପାୟାରଙ୍କୁ ସମସ୍ତ ବିଷୟରେ ଅବଗତ କରାଯିବ । ତେଣୁ ଏବେ ସବୁ ମ୍ୟାଚ୍ ରେଫରିଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରକାଶ କରିଛନ୍ତି ।