ମୁମ୍ବାଇ,୭|୦୬:ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସର୍ବ କନିଷ୍ଠ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସେ । ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ମାତ୍ର ୧୫ ବର୍ଷୀୟ ବୈଭବ ଭାରତୀୟ ଦଳରେ ସାମିଲ ହେବା ଏକ ବଡ ଉପଲବ୍ଧି ଅଟେ ।

ବିସିସିଆଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ୟ ଏକ ବଡ ସୁବିଧା ପ୍ରଦାନ କରିଛି । ରିପୋର୍ଟ ଅନୁସାରେ, ବେବି ବସଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ବୋର୍ଡ ତାଙ୍କର ପ୍ରତିଭା ସହ ବୟସକୁ ଧ୍ୟାନରେ ରଖିଛି । ଏବଂ ଗୁରୁତର ସହ ନେଇଛି ।

ଆୟାରଲ୍ୟାଣ୍ଡ୍ ଏବଂ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ବୈଭବଙ୍କୁ ଦଳରେ ସାମିଲ କରାଯାଇଛି । ଏହି ଗସ୍ତରେ ବୈଭବଙ୍କ ସହ ତାଙ୍କ ମାତା ପିତା ମଧ୍ୟ ଯିବେ । ବିଦେଶୀ ପରିସ୍ଥିତି ଏବଂ ସିନିୟର ଟିମର ମାହୋଲକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଫଳରେ ବୈଭବ ସେଠାରେ ସହଜ ଅନୁଭବ କରିବେ ଏବଂ ଖେଳରେ ଅଧିକ ଫୋକସ କରିପାରିବେ ।

ବିସିସଆଇ ସଚିବ ଦେବଜିତ ସାଇକିୟା କହିଛନ୍ତି ଯେ, ବୈଭବ ଏବେ ନାବାଳକ ଅଟନ୍ତି । ସେ ନିଜ ବୟସର ଖେଳାଳିଙ୍କ ସହ ଯାତ୍ରା କରୁଥିଲେ । ଭାରତୀୟ ଦଳର ମାହୋଲ ସମ୍ପୂର୍ଣ୍ଣ ଭିନ୍ନ ହେବ । ତେଣୁ ବୋର୍ଡ ତାଙ୍କ ସହ ମାତା-ପିତାଙ୍କୁ ଯିବା ପାଇଁ ଅନୁମତି ଦେଇଛି । ପରିବାରର ଅନ୍ୟ କେହି ସଦସ୍ୟ ମଧ୍ୟ ତାଙ୍କ ସହ ରହିପାରିବେ ।

ସେ ଆହୁରି କହିଛନ୍ତି ଯେ, ବୈଭବ ବୟସରେ ଖୁବ୍ ସାନ । ଅଣ୍ଡର-୧୯ ଦଳରେ ସେ ସମାନ ବୟସର ଖେଳାଳିଙ୍କ ସହ ଯାତ୍ରା କରୁଥିଲେ । କିନ୍ତୁ ଏବେ ସିନିୟର ଟିମରେ ଖେଳାଳି ତାଙ୍କଠାରୁ ଖୁବ୍ ବଡ । ତେଣୁ ତାଙ୍କ ସହ ବାପା-ମାଆ ଯିବା ଜରୁରୀ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି । ଏବେ ସେ ଶ୍ରୀଲଙ୍କାରେ ଭାରତୀୟ-ଏ ଦଳ ସହ ତ୍ରିକୋଣୀୟ ସିରିଜ୍ ଖେଳୁଛନ୍ତି । ତାଙ୍କ ପିତା ମଧ୍ୟ ଶ୍ରୀଲଙ୍କାରେ ଖୁବ୍ ଶୀଘ୍ର ପହଁଚିବେ ।

Also Read :- ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ମୈଦାନରେ ବର୍ଷିଲା ଚୌକା-ଛକା

ସାଧାରଣତଃ ଏପରି ସୁବିଧା ଖେଳାଳିଙ୍କୁ ପ୍ରଦାନ କରାଯାଏ ନାହିଁ । କିନ୍ତୁ ବୈଭବଙ୍କ ମାମଲା ଭିନ୍ନ ଅଟେ । ଏତେ କମ୍ ବୟସରେ ଅନ୍ତରାଷ୍ଟ୍ରୀୟ ଚାପ ଏବଂ ପରିସ୍ଥିତିର ତାଳମେଳ ରଖିବା ପଇଁ ପରିବାରର ସମର୍ଥନ ଖୁବ୍ ଆବଶ୍ୟକ ଅଟେ ।