କଲୋମ୍ବୋ,୯|୦୬:ଫେଲ୍ ମାରିଲେ ଆଇପିଏଲର ଚର୍ଚ୍ଚିତ ଷ୍ଟାର୍ ବୈଭବ ସୂର୍ଯ୍ୟବଂଶୀ । ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଏକ ମୁକାବିଲାରେ ବିଫଳ ହୋଇଛନ୍ତି ବୈଭବ ।ଶ୍ରୀଲଙ୍କା-ଏ ବିପକ୍ଷରେ ଭାରତ-ଏ ପକ୍ଷରୁ ଖେଳୁଥିବା ଏହି ଯୁବ ବ୍ୟାଟର ସଅଳ ଆଉଟ୍ ହୋଇଛନ୍ତି ।

ମଙ୍ଗଳବାର ଭାରତ-ଏ ଏକ ତ୍ରିସ୍ତରୀୟ ମୁକାବିଲାରେ ଶ୍ରୀଲଙ୍କା-ଏକୁ ଭେଟିଛି । ମ୍ୟାଚରେ ଓପନିଂ କରିବାକୁ ଆସିଥିଲେ ବୈଭବ । ସମସ୍ତେ ଆଶା କରୁଥିଲେ ସେ ଆଇପିଏଲ ଭଳି ଛକା ଚଉକା ବର୍ଷା କରିବେ । ଶତକ ଲଗାଇବେ । ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରିବେ । କିନ୍ତୁ ଫ୍ୟାନ୍ସଙ୍କ ଆଶା ଫିକା ପଡିଯାଇଛି । ମାତ୍ର ୧୪ ବଲରେ ସେ ପ୍ୟାଭିଲିୟନ ଫେରିଛନ୍ତି । 

Also Read :- ଅଧିନାୟକ ପଦ ଗଲା ପରେ ପୁଣି ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍ : ଦଳକୁ ଜିତାଇଲେ, ପାଇଲେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର

ଏହି ମୁକାବିଲା ବୈଭବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ-ଏ ଏକ ଦିବସୀୟ ଅର୍ଥାତ ୫୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳୁଛି । ଏଥିରେ ଭଲ ଖେଳିଲେ ବୈଭବଙ୍କ ଦିନିକଆ ପଦାର୍ପଣର ରାସ୍ତା ସହଜ ହୋଇଯିବ । ସେ ଟି୨୦ ଟିମ୍ ଭଳି ଭାରତୀୟ ଦିନିକିଆ ସିନିଅର୍ ଟିମରେ ମଧ୍ୟ ସାମିଲ ହୋଇପାରିବେ । ହେଲେ ସେ ବିଫଳ ହୋଇ ଚୟନକର୍ତ୍ତାଙ୍କୁ ନିରାଶ କରିଛନ୍ତି ।

ସୂଚନାଯୋଗ୍ୟ, ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ଆଇପିଏଲରେ ୧୬ଟି ଇନିଂସ ଖେଳିଥିଲେ । ଏହି ସବୁ ଇନିଂସରୁ ସେ ୭୭୬ ରନ୍ ସଂଗ୍ରହ କରିଥିଲେ । ଏହାସହ ତାଙ୍କୁ ଅରେଞ୍ଜ୍ କ୍ୟାପ୍ ପ୍ରଦାନ କରାଯାଇଥିଲା । ଯାହା ପରେ ତାଙ୍କୁ ଭାରତୀୟ ସିନିଅର୍ ଟିମରେ ନେବାକୁ ଚର୍ଚ୍ଚା ହୋଇଥିଲା । ଶେଷରେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ତାଙ୍କୁ ସ୍ଥାନ ମିଳିଛି । ଆଉ କିଛି ଦିନ ପରେ ସେ ଦଳ ସହ ଇଂଲଣ୍ଡ ଯାତ୍ରା କରି ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବେ ।