ଚେନ୍ନାଇ: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଦୁଲୀପ ଟ୍ରଫି ଫାଇନାଲ୍ ମ୍ୟାଚ୍। ଏହି ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ। ଆଉ ପ୍ରଥମ ଦିନରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଇଷ୍ଟ ଜୋନ୍ (ପୂର୍ବାଞ୍ଚଳ) ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିବା ଏହି ୧୫ ବର୍ଷୀୟ ବାମହାତୀ ବ୍ୟାଟର ଏବଂଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମଧ୍ୟରେ ବେଶ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା।

ସିରାଜଙ୍କ ଗୋଟିଏ ଓଭରରେ ମାରିଲେ ୨ ଚୌକା ଓ ୧ ଛକା

ସାଉଥ୍ ଜୋନ୍ (ଦକ୍ଷିଣାଞ୍ଚ) ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଷ୍ଟ ଜୋନ୍। ଦଳକୁ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୩୭ ବଲରୁ ୪୪ ରନର ଏକ ଦମଦାର ପାରି ଖେଳିଥିଲେ, ଯେଉଁଥିରେ ୫ଟି ଚୌକା ଓ ୧ଟି ବିଶାଳ ଛକା ସାମିଲ। ଇନିଂସର ୭ମ ଓଭରରେ ସିରାଜଙ୍କ ବିପକ୍ଷରେ ବୈଭବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସିରାଜଙ୍କ ବଲରେ ପ୍ରଥମେ ଏକ ଚୌକା, ତା’ପରେ ଲଙ୍ଗ୍-ଅଫ୍ ଉପରେ ଏକ ଆକର୍ଷଣୀୟ ଛକା ଏବଂ ପରବର୍ତ୍ତୀ ବଲରେ ପୁଣି ଏକ ଚୌକା ମାରି ଥିଲେ ଏହି ବାମହାତୀ ବ୍ୟାଟର।

 

୧୦୦ ରନର ଓପନିଂ ପାର୍ଟନରସିପ୍

ଅଭିଜ୍ଞ ବ୍ୟାଟର ଅଭିମନ୍ୟୁ ଈଶ୍ୱରନଙ୍କ ସହ ମିଶି ବୈଭବ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୦୧ ରନର ଭାଗୀଦାରୀ ଗଢ଼ି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ସେମିଫାଇନାରେ ୯୨ ରନ ଏବଂ ୪୦ ରନର ଦମଦାର ପାରି ଖେଳିଥିବା ବୈଭବ, ଫାଇନାଲରେ ମଧ୍ୟ ସମାନ ଫର୍ମ ବଜାୟ ରଖିଛନ୍ତି। ତେବେ ଅଳ୍ପକେ ସେ ନିଜର ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ମିଲିନ୍ଦଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ।

Also Read: ଦିନିକିଆ ଦଳକୁ ଫେରି ପାରନ୍ତି ମହମ୍ମଦ ଶାମି, ଦୁଲୀପ ଟ୍ରଫି ଫାଇନାଲ ଉପରେ ଚୟନକର୍ତ୍ତାଙ୍କ ନଜର