ନୂଆଦିଲ୍ଲୀ ୨୯।୧୧; ଖାଇକୁ ଖସିଲା ଗାଡ଼ି, ଚାଲିଗଲା ୭ ଜୀବନ। ଉତ୍ତରାଖଣ୍ଡ ପାଉରି-ଗଡ଼ୱାଲ ଜିଲ୍ଲାରେ ଘଟିଛି ମୃତ୍ୟୁର ତାଣ୍ଡବ। ଦୁର୍ଘଟଣାରେ ୬ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି। କଲୱାଡି ଗାଁ ନିକଟରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୧୨ ଜଣ ଥିଲେ।

ସୂଚନା ଅନୁସାରେ, ଏକ ଗୋଷ୍ଠୀ ବୈଠକରେ ଯୋଗ ଦେଇ ମହିଳାମାନେ ରିଖାନିଖାଲରୁ ନିଜ ଗାଁକୁ ଫେରୁଥିଲେ। ହେଲେ ରାସ୍ତାରେ ଘଟିଗଲା ଅଘଟଣ। ଗାଡ଼ିଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଗୋଟିଏ ଦୁର୍ଘଟଣାରେ ଉଜୁଡ଼ିଗଲା ଅନେକ ପରିବାର। ଏବେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି।