ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗ୍ଲେସିୟର ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଫଳରେ ସମଗ୍ର ହିମାଳୟ ଅଞ୍ଚଳ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି । ନିକଟରେ ନେପାଳରେ ଗ୍ଲେସିୟର ତରଳିବା କାରଣରୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୧,୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ମାତ୍ର କିଛି ଦିନ ପରେ ଏହି ଚିନ୍ତାଜନକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି ।

'ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ ଜିଓଲୋଜି'ର ବୈଜ୍ଞାନିକ ଜ୍ୟୋତି କୁମାରୀ, ଗିରୀଶ ଚନ୍ଦ୍ର କୋଠିଆରୀ, ଅତୁଲ କୁମାର ପଟେଲ ଏବଂ ମନୀଷ ମେହେଟ୍ଟାଙ୍କ ଦ୍ୱାରା ଲିଖିତ ଏହି ଗବେଷଣା ପତ୍ରଟି 'Discover Geoscience' ପତ୍ରିକାରେ ପ୍ରକାଶିତ ହୋଇଛି, ଯେଉଁଥିରେ ଉତ୍ତରାଖଣ୍ଡର ୨୩ଟି ପ୍ରମୁଖ ଗ୍ଲେସିୟରର ତଥ୍ୟ ଅନୁଧ୍ୟାନ କରାଯାଇଛି। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିହରୀର ଖାତଲିଙ୍ଗ ହିମବାହ ବାର୍ଷିକ ସବାଧିକ ୮୮ ମିଟର, ପିଣ୍ଡାରୀ ଗ୍ଲେସିୟର ବାର୍ଷିକ ୪୫.୮୫ ମିଟର, ମିଲାମ୍ ଗ୍ଲେସିୟର ୩୨ରୁ ୩୭.୮ ମିଟର, ଚାମୋଲିର ସତୋପନ୍ଥ ୨୬.୪୫ ମିଟର ଏବଂ ଗଙ୍ଗୋତ୍ରୀ ଗ୍ଲେସିୟର ବାର୍ଷିକ ପ୍ରାୟ ୨୧ରୁ ୨୨ ମିଟର ହାରରେ ତରଳୁଛି ।

ବୈଜ୍ଞାନିକମାନଙ୍କ ଅନୁସାରେ ବୈଶ୍ବିକ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଗ୍ଲେସିୟର ଗୁଡ଼ିକର ଭୌଗୋଳିକ ଆକାର ଏବଂ ସେଗୁଡ଼ିକ ଉପରେ ଥିବା ଆବର୍ଜନାର ସ୍ତର ମଧ୍ୟ ଏହି ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ୪,୦୦୦ ମିଟର ଉଚ୍ଚତାରେ ପୂର୍ବରୁ ବରଫପାତ ହେଉଥିବା ସ୍ଥାନଗୁଡ଼ିକରେ ଏବେ ବର୍ଷା ହେବା, ଗ୍ରୀଷ୍ମଋତୁର ଅବଧି ବୃଦ୍ଧି ପାଇବା ଏବଂ ଶୀତଦିନେ କମ୍ ବରଫପାତ ହେବା ଯୋଗୁଁ ନୂତନ ବରଫ ଜମାଟ ବାନ୍ଧିବାକୁ ଯଥେଷ୍ଟ ସମୟ ମିଳୁନାହିଁ ।

ଗଙ୍ଗା, ଯମୁନା, ଭାଗୀରଥୀ, ଅଳକାନନ୍ଦା, ସୁତଲେଜ୍, ସିନ୍ଧୁ ଏବଂ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀଗୁଡ଼ିକ ହିମାଳୟରୁ ସୃଷ୍ଟି ହୋଇଥିବାରୁ ଏହି ଗ୍ଲେସିୟରଗୁଡ଼ିକ ତରଳିବା ଦ୍ୱାରା ନଦୀ ଅଞ୍ଚଳରେ 'ଗ୍ଲାସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍' (GLOF), ପାହାଡ଼ ଧସିବା, ବରଫ ସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବ। ଏହାସହିତ ଆଗାମୀ ଦିନରେ ନଦୀଗୁଡ଼ିକ ଶୁଖିଯାଇ ଭାରତ ଓ ପଡ଼ୋଶୀ ଦେଶଗୁଡ଼ିକରେ ପାନୀୟ ଜଳ, କୃଷି ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ଗମ୍ଭୀର ଜଳସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।