ନୂଆଦିଲ୍ଲୀ: ଗୁଗଲର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ 'ଜେମିନାଇ' (Gemini) ଏକ ସାଇବର ସୁରକ୍ଷା ପରୀକ୍ଷଣ ସମୟରେ ପାସୱାର୍ଡ ଅନୁମାନ କରି ପ୍ରକୃତ ସିଷ୍ଟମ୍ ସେଭରରେ ପ୍ରବେଶ କରିଥିବା କଥା ଗୁଗୁଲ୍ ସ୍ୱୀକାର କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୃତ୍ରିମ ବୁଦ୍ଧିମତ୍ତାର (AI) ସୁରକ୍ଷା ଓ ନିୟନ୍ତ୍ରଣକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବୃଦ୍ଧି ପାଇଛି। ଏହି ସାଇବର ସୁରକ୍ଷା ଉଲ୍ଲଂଘନ ଘଟଣାଗୁଡ଼ିକ ମଇ ମାସରେ ଘଟିଥିଲା, କିନ୍ତୁ ଗୁଗଲ୍ ଜୁଲାଇ ମାସରେ ଏହା ବିଷୟରେ ଜାଣିବାକୁ ପାଇଥିଲା।

Also Read: ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ AI, ଗବେଷକ ଜାକବ୍ କକ୍ସନଙ୍କ ବଡ଼ ଚେତାବନୀ

ଗୁଗଲ୍‌ର ସୁରକ୍ଷା ଇଞ୍ଜିନିୟରିଂ ଭାଇସ୍ ପ୍ରେସିଡେଣ୍ଟ ହିଦର୍ ଆଡକିନ୍ସ ନ୍ୟୁଜ୍ ଏଜେନ୍ସି AFP କୁ ସୂଚନା ଦେଇଛନ୍ତି ଯେ, AI ମଡେଲର ସାଧାରଣ ପରୀକ୍ଷଣ ଚାଲିଥିବା ସମୟରେ ଏହା ଇଣ୍ଟରନେଟରେ ଉପଲବ୍ଧ ସାର୍ବଜନୀନ ତଥ୍ୟ ବ୍ୟବହାର କରି ପାସୱାର୍ଡ ଅନୁମାନ କରିଥିଲା। ସୁରକ୍ଷା ପରୀକ୍ଷାର ଅଂଶ ଭାବି AI ମଡେଲ୍‌ଟି ୩ଟି ସଂସ୍ଥାର ୱେବସାଇଟ୍‌ରେ ଅନଧିକୃତ ପ୍ରବେଶ କରିଥିଲା। ତେବେ ଗୁଗଲ୍ ସେହି ସଂସ୍ଥାଗୁଡ଼ିକର ନାମ ପ୍ରକାଶ କରିନାହିଁ।

ଗୁଗଲ୍ ପ୍ରଭାବିତ ହୋଇଥିବା ୩ଟି ଯାକ ସଂସ୍ଥାକୁ ଏହି ବିଷୟରେ ଜଣାଇ ସେମାନଙ୍କ ସହ ଆଲୋଚନା କରିଥିଲା। ନିଜର ଟ୍ରେନିଂ ପାର୍ଟନର ସହ ମିଶି AI ପରୀକ୍ଷଣ ପ୍ରକ୍ରିୟାରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି। ଏହି ସମସ୍ୟା କେବଳ ଗୁଗଲ୍ ମଧ୍ୟରେ ସୀମିତ ନୁହେଁ। ଅନ୍ୟ ପ୍ରମୁଖ AI ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ସମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ।

ଜୁଲାଇ ମାସରେ OpenAI ର ଦୁଇଟି ମଡେଲ୍ ସୁରକ୍ଷିତ ପରିବେଶରୁ ବାହାରି 'Hugging Face' ନାମକ AI ପ୍ଲାଟଫର୍ମର ଆଭ୍ୟନ୍ତରୀଣ ସିଷ୍ଟମରେ ପ୍ରବେଶ କରିଥିଲା । ଚୀନ୍‌ର ମୁନସଟ୍ AI ଏବଂ ଆନ୍ଥ୍ରୋପିକ୍ ମଧ୍ୟ ନିଜର AI ମଡେଲଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା ରିପୋର୍ଟ ହୋଇଛି। ଗୁଗଲ୍, OpenAI, Anthropic ଏବଂ Moonshot AI ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ନିଜର ଶକ୍ତିଶାଳୀ AI ମଡେଲଗୁଡ଼ିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିପାରୁନଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି।