ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ଆଣବିକ ପରୀକ୍ଷଣ କେନ୍ଦ୍ର ଧ୍ବଂସ ହୋଇଥିଲା । ଯଦିଓ ଇରାନ ପରମାଣୁ ଯୁଦ୍ଧାସ୍ତ୍ର ପରୀକ୍ଷଣ କରୁନାହିଁ ବୋଲି ଦାବି କରିଆସିଛି, କିନ୍ତୁ ଏଥିରେ ସତ୍ୟତା ନାହିଁ ବୋଲି ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା । ଯୁଦ୍ଧରେ ବହୁ କ୍ଷତି ସହିଥିବା ଇରାନ୍‌ ଏବେ ପୁଣି ନିଜର ଏହି ପରମାଣୁ ପରୀକ୍ଷଣ କେନ୍ଦ୍ରଗୁଡ଼ିକୁ ପୁନରୁଦ୍ଧାର କରିବାରେ ଲାଗିପଡ଼ିଛି । ମିଳିଥିବା ନୂଆ ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ଇରାନ ନିଜର ଆଣବିକ ପରୀକ୍ଷଣ ସହ ଜଡ଼ିତ ପାର୍ଚିନ୍ ମିଲିଟାରୀ କମ୍ପ୍ଲେକ୍ସ ସ୍ଥିତ ତାଲେଘାନ୍-୨ (Taleghan 2) ସାମରିକ ଘାଟିକୁ ପୁନର୍ବାର ନିର୍ମାଣ କରିବାରେ ବ୍ୟସ୍ତ ଅଛି।

ୱାଶିଂଟନର ‘ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ସିକ୍ୟୁରିଟି’ ଏବଂ ‘ଭାଣ୍ଟର’ ର ନୂତନ ସାଟେଲାଇଟ୍ ଚିତ୍ରକୁ ଆଧାର କରି ଏହି ତଥ୍ୟ ଆସିଛି। ସାଟେଲାଇଟ୍ ଏବଂ ଆକାଶମାର୍ଗରୁ ଶତ୍ରୁ ଦେଶର ନଜରରୁ ରକ୍ଷା ପାଇବା ପାଇଁ ଭଙ୍ଗାଯାଇଥିବା ଭୂତଳ ସଂରଚନା ଉପରେ ଏକ ବଡ଼ ପଲିଥିନ୍‌ ବନ୍ଧାଯାଇଛି। ଏହି ନିର୍ମାଣ ସ୍ଥଳରେ ବୁଲଡୋଜର, କ୍ରେନ୍, କଂକ୍ରିଟ୍ ମିକ୍ସଚର୍, ଡମ୍ପର ଏବଂ କଂକ୍ରିଟ୍ ପମ୍ପ ଭଳି ଭାରୀ ଯନ୍ତ୍ରପାତି ସକ୍ରିୟ ଭାବରେ କାର୍ଯ୍ୟ କରୁଥିବାର ଦେଖାଯାଇଛି।

ଭବିଷ୍ୟତରେ ହୋଇପାରୁଥିବା ବିମାନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସାଇଟର ଦୁଇପାର୍ଶ୍ବରେ ମୋଟା କଂକ୍ରିଟ୍ ଆସ୍ତରଣ ଏବଂ ବଙ୍କର-ବଷ୍ଟର କ୍ଷତିକୁ ଏଡ଼ାଇବା ପାଇଁ କଂକ୍ରିଟ୍ କ୍ୟାପ୍ ନିର୍ମାଣ କରାଯାଉଛି। ତେବେ ଅକ୍ଟୋବର ୨୦୨୪ରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଏହି ସଂରଚନା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ମେ’ ୨୦୨୫ରେ ଇରାନ ଏହାକୁ ଭୂତଳ ବଙ୍କର ରୂପରେ ଆଇରନ୍ ଏବଂ କଂକ୍ରିଟ୍ ଦ୍ୱାରା ପୁନର୍ବାର ସୁଦୃଢ଼ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ମାର୍ଚ୍ଚ ୨୦୨୬ରେ    ଇସ୍ରାଏଲୀ ବଙ୍କର-ବଷ୍ଟର ଆକ୍ରମଣରେ ଏହି ନୂତନ ସଂରଚନାରେ ୩ଟି ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଭିତରର ସାମଗ୍ରୀ ନଷ୍ଟ ହୋଇଥିଲା। ସେପ୍ଟେମ୍ବର ୨୦୨୬ରେ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ, ଜୁନ୍ ମାସରୁ ଆରମ୍ଭ ହୋଇଥିବା ମରାମତି କାର୍ଯ୍ୟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି।

ତାଲେଘାନ୍-୨ ସ୍ଥଳଟି ଇରାନର ଗୁପ୍ତ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ 'ଅଲ୍-ଆମାଦ୍' ସହିତ ଜଡ଼ିତ। ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (IAEA) ଏବଂ ଆମେରିକା ଗୁଇନ୍ଦା ସଂସ୍ଥା ଅନୁସାରେ, ଇରାନ ୨୦୦୩ ମସିହାରେ ଏହି ଆଣବିକ ଅସ୍ତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବନ୍ଦ କରିଦେଇଥିଲା। ତଥାପି, ଏହି ସ୍ଥାନରେ ଉଚ୍ଚ-ବିସ୍ଫୋରକ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା ବିଶେଷ ସାମଗ୍ରୀ ରଖାଯାଇଥିଲା। ପରମାଣୁ ବିଶେଷଜ୍ଞ ଡେଭିଡ୍ ଅଲବ୍ରାଇଟ୍‌ଙ୍କ ଅନୁସାରେ, ବାରମ୍ବାର ଆକ୍ରମଣ ସତ୍ତ୍ୱେ ଇରାନ ଏହି ନିର୍ଦ୍ଦିଷ୍ଟ ସ୍ଥାନକୁ ପୁନର୍ବାର ନିର୍ମାଣ କରିବା ଅତ୍ୟନ୍ତ ଚିନ୍ତାଜନକ। ତେବେ ପୁନଃନିର୍ମାଣ ପରେ ଇରାନ ଏହା ଭିତରେ କ'ଣ ରଖିବାକୁ ଚାହୁଁଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।