ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ଆସିଯାଇଛି। ଏଥିରେ ବିଜେପି ୬ଟି ଆସନ ହାତେଇଥିବା ବେଳେ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ହାତରୁ ୩ଟି ଆସନ ଯାଇଛି। ବାକି ଆସନ ଲାଗି ଭୋଟଗଣନା ଜାରି ରହିଛି। ଏହି ଏମଏଲସି ନିର୍ବାଚନରୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ସପା ମଧ୍ୟରେ ସମ୍ମାନର ଲଢେଇ ଭାବେ ଦେଖା ଯାଉଛି। ନିର୍ବାଚନରେ ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ସମାଜବାଦୀ ପାର୍ଟିର ଲାଲବିହାରୀ ଯାଦବ ବିଜୟୀ ହୋଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳି।

ତେବେ ବିଜେପି ଆଗ୍ରା ସ୍ନାତକ, ବରେଲୀ-ମୁରାଦାବାଦ ଶିକ୍ଷକ, ମିରଟ ସ୍ନାତକ, ମିରଟ ଶିକ୍ଷକ ଓ ଗୋରଖପୁର-ଫୈଜାବାଦ ଶିକ୍ଷକ ନିର୍ବାଚନ ମଣ୍ଡଳିରୁ ବିଜୟ ହାସଲ କରିଛି। ସେହିପରି ସପା ଏଲହାବାଦ-ଝାନ୍ସୀ ସ୍ନାତକ, ବାରଣାସୀ ଶିକ୍ଷକ ଓ ଆଗ୍ରା-ଆଲିଗଡ ଶିକ୍ଷକ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛି। ତେବେ ଗୋରଖପୁର-ଫୈଜାବାଦ ଶିକ୍ଷକ ଆସନରେ ବିଜେପି ପ୍ରାର୍ଥୀ ଧ୍ରୁବ ତ୍ରିପାଠୀ ସ୍ୱାଧୀନ ପ୍ରାର୍ଥୀ ରାଜୀବ ଯାଦବଙ୍କୁ ମାତ୍ର ୩୦୭ଟି ଭୋଟରେ ହରାଇଛନ୍ତି। ଏଣୁ ରାଜୀବ ଭୋଟଗଣନାରେ ଗଡବଡି ଅଭିଯୋଗ କରି ଫଳାଫଳକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ବିଜେପି ଶିକ୍ଷକ ଓ ସ୍ନାତକ ଉଭୟ ଆସନରେ ନିଜର ଉପସ୍ଥିତି ଜାହିର କରିଛି। ସେହିପରି ସପା ବାରଣାସୀ ଓ ଆଗ୍ରା-ଆଲିଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳିରେ ବିଜୟୀ ହୋଇ ଶାସକ ଦଳ ବିରୋଧରେ ବିପକ୍ଷର ସ୍ଥିତିକୁ ମଜଭୁତ କରିଛି। ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ଲାଲବିହାରୀ ଯାଦବ ବିଜୟୀ ହୋଇଛନ୍ତି। ଏହା ସପା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଏହି ଆସନରେ ପାର୍ଟି ନିଜର ପ୍ରଭାବ କାୟମ ରଖିଛି। ୨୦୨୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ଏମଏଲସି ନିର୍ବାଚନକୁ ଶାସକ ବିଜେପି ଓ ବିରୋଧୀ ସପା ଲାଗି ସେମି ଫାଇନାଲ ଭାବେ ଦେଖାଯାଉଛି। ଯଦିଓ ଏମଏଲସି ନିର୍ବାଚନର ଭୋଟ ଗ୍ରହଣ ବିଧାନସଭା ନିର୍ବାଚନ ଠାରୁ ଅଲଗା ଏଣୁ ଏହି ନିର୍ବାଚନ ଫଳାଫଳକୁ ପୁରାପ୍ରଦେଶର ଭୋଟରଙ୍କ ପ୍ରତିବିମ୍ବ ମନେ କରାଯାଇ ପାରିବନି।