• ମଜଭୁତ ସତ୍ୟାପନ ବିନା କୌଣସି ପଦକ୍ଷେପ ଗ୍ରହଣ କରିବ ନାହିଁ ଇରାନ
  • ଇରାନ ମାସକ ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ଯୁଦ୍ଧ ପୂର୍ବସ୍ଥିତିକୁ ଆଣିବ
  • ଆମେରିକା  ନୌସେନା ନାକାବନ୍ଦୀ ସମାପ୍ତ କରିବ
  • ଯଦି ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ବୁଝାମଣା ହୋଇଯାଏ ତେବେ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ବାଧ୍ୟତାମୂଳକ ପ୍ରସ୍ତାବ ଭାବେ ଗୃହୀତ କରାଯାଇପାରେ

ନୂଆଦିଲ୍ଲୀ: ଇରାନ ସରକାରୀ ଟେଲିଭିଜନ ଅନୁସାରେ ଆମେରିକା ସହ ଜାରି ଯୁଦ୍ଧ ସମାପ୍ତ କରିବାକୁ ଏକ ବୁଝାମଣା ଜ୍ଞାପନ (ଏମଓୟୁ)ର ପ୍ରାରମ୍ଭିକ ଚିଠାପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଇରାନ ମାସକ ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ଯୁଦ୍ଧ ପୂର୍ବସ୍ଥିତିକୁ ଆଣିବ। ସେହିପରି ଆମେରିକା ମଧ୍ୟ ଇରାନ ଆଖପାଖରେ ମୁତୟନ କରିଥିବା ସୈନିକଙ୍କୁ ଫେରାଇନେବା ସହ ନୌସେନା ନାକାବନ୍ଦୀ ସମାପ୍ତ କରିବ। ସେହିପରି ଓମାନ ସହାୟତାରେ ଇରାନ ହର୍ମୁଜରେ ଜାହାଜଙ୍କ ଯାତାୟାତ ନିୟନ୍ତ୍ରଣ କରିବ। ତେବେ ତେହେରାନ ସ୍ପଷ୍ଟ କରିଛି ଯେ ମଜଭୁତ ସତ୍ୟାପନ ବିନା କୌଣସି ପଦକ୍ଷେପ ଗ୍ରହଣ କରିବ ନାହିଁ।

ଇରାନୀ ଗଣମାଧ୍ୟମ ଅନୁସାରେ ଯଦି ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ବୁଝାମଣା ହୋଇଯାଏ ତେବେ ଏହାକୁ ଜାତିସଂଘ ସୁରକ୍ଷା ପରିଷଦରେ ବାଧ୍ୟତାମୂଳକ ପ୍ରସ୍ତାବ ଭାବେ ଗୃହୀତ କରାଯାଇପାରେ। ଅର୍ଥାତ ଏହି ବୁଝାମଣାକୁ ଦୁଇ ଦେଶ ମାନିବାକୁ ବାଧ୍ୟ ହେବେ। ଏହି ଏମଓୟୁ ଫେବୃଆରୀରେ ଆରମ୍ଭ ହୋଇଥିବା ଇରାନ-ଆମେରିକା ଯୁଦ୍ଧ ପରେ ଅପ୍ରତ୍ୟକ୍ଷ ବାର୍ତ୍ତାର ପରିଣାମ। ତେବେ ଏଥିରେ ପାକିସ୍ତାନ ଇରାନ ଓ ଆମେରିକା ମଧ୍ୟରେ କେନ୍ଦ୍ରୀୟ ମଧ୍ୟସ୍ଥ ରୂପେ କାମ କରିଛି। ଚଳିତବର୍ଷ ପ୍ରାରମ୍ଭ ରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବା କାରଣରୁ ଯୁଦ୍ଧ ଆରମ୍ଭ ହୋଇଥିଲା। ଉଭୟ ଦେଶ ପରସ୍ପରକୁ ଯୁଦ୍ଧବିମାନ, ମିଜାଇଲ ଓ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ଉପସାଗରୀୟ କ୍ଷେତ୍ରରେ ସିପିଂ ଗୁରୁତ୍ତର ପ୍ରଭାବିତ ହୋଇଥିବା ବେଳେ ଏହି ଯୁଦ୍ଧରେ ଆମେରିକା ମଧ୍ୟ ସାମିଲ ହୋଇଯାଇଥିଲା।

ଏହି ଘଟଣାକ୍ରମ ଏପରି ସମୟରେ ହୋଇଛି ଯେତେବେଳେ ଗଲଫ କ୍ଷେତ୍ରରେ ଦୀର୍ଘମାସ ଧରି ଅସ୍ଥିରତା ପରେ ଇନ୍ଧନ ସପ୍ଲାଇରେ ବାଧା ଓ ଅଶୋଧିତ ତୈଳର ଆକାଶ ଛୁଆଁ ଦରକୁ ନେଇ ବୈଶ୍ୱିକ ଚିନ୍ତା ବଢିବାରେ ଲାଗିଥିଲା। ଇନ୍ଧନ ଆମଦାନୀ କରୁଥିବା ଦେଶଙ୍କ ଲାଗି ହର୍ମୁଜ ଖୋଲିବା ଓ ଇରାନ ଶାନ୍ତି ଆଡକୁ ବଢିବା ଭାରତ ଓ ଚୀନ ଭଳି ଦେଶଙ୍କ ଲାଗି ଆଶ୍ୱସ୍ତିକାରକ ହେବ। ହର୍ମୁଜ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚୋକପଏଣ୍ଟ ମଧ୍ୟରେ ଅନ୍ୟତମ। ଏଣୁ ବୈଶ୍ୱିକ ବଜାର ଇରାନ ବାର୍ତ୍ତାରେ ହେଉଥିବା ଘଟଣାକ୍ରମ ଉପରେ ନଜର ରଖି ରହିଛି।

ନିକଟରେ ରିପୋର୍ଟରୁ ସଂକେତ ମିଳିଥିଲା ଯେ ଉଭୟ ପକ୍ଷଙ୍କ ବାର୍ତ୍ତାକାର ଶତ୍ରୁତା ସମାପ୍ତ କରିବାକୁ ଓ ସମୁଦ୍ର ପରିବହନ ମାର୍ଗ ପୁଣି ଖୋଲିବାକୁ ୧୪ ସୂତ୍ରୀୟ ବ୍ୟାପକ ବୁଝାମଣା ଉପରେ କାମ କରୁଛନ୍ତି। ଆମେରିକା ଓ ଇରାନ ମଧ୍ୟରେ କଟକଣାରେ ଆଶ୍ୱସ୍ତି, ଇରାନର ଜବତ ସମ୍ପତ୍ତି ଜାରି କରିବା ଓ ତୈଳ ରପ୍ତାନୀ ପାଇଁ ଇରାନର ସ୍ୱାଧୀନତା ଭଳି ପ୍ରସଙ୍ଗ ସବୁ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୨୩-୨୪ ତାରିଖରେ ଇରାନ ସହିତ ବୁଝାମଣା ଅନେକାଂଶରେ ନିଶ୍ଚିତ ହୋଇଥିବା ଘୋଷଣା କରିଥିଲେ। ସେ କହିଥିଲେ ଯେ ଏଥିରେ ହର୍ମୁଜକୁ ପୁଣି ଖୋଲିବା ପ୍ରସ୍ତାବ ମଧ୍ୟ ରହିଛି।

ଟ୍ରମ୍ପ କହିଥିଲେ ଯେ ବୁଝାମଣା ଖୁବ୍ ଶୀଘ୍ର ଚୂଡ଼ାନ୍ତ ରୂପ ନେବ ଓ ଏହାର ବିବରଣୀ ଘୋଷଣା କରାଯିବ। ତେବେ ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ ଏହା ଏକ ଭଲ ବୁଝାମଣା ହେବ, ନଚେତ ହେବ ନାହିଁ। ଟ୍ରମ୍ପ ତାଙ୍କ ବାର୍ତ୍ତାକାରଙ୍କୁ ସମୟ ନେବାକୁ ଓ ଠିକଠାକ ଡିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇରାନ ନାକାବନ୍ଦୀ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ କୌଣସି ବୁଝାମଣା ନ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି। ଏଥି ମଧ୍ୟରେ ଇରାନ ସରକାରୀ ଟିଭି ଏମଓୟୁ ମିଳିଥିବାର ଦାବି କରିଛି।