ଭୁବନେଶ୍ୱର : ବାପାଙ୍କ ଆଖିରୁ ଲୁହ ଶୁଖୁନି, ମା ସେହି ଅବସାଦରୁ ବାହାରି ପାରୁନି। ... ଘଟଣାକୁ ବିତି ଗଲାଣି 5 ଦିନ। ତଥାପି ସେହି ଅଘଟଣକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଢା ବାପା-ମାଆ । ଆଜି ବି ନିଜ ପିଲାମାନଙ୍କୁ ମନେ ପକାଇ ଝୁରି ହେଉଛନ୍ତି ଦୁହେଁ। ବୟସରେ ସାୟାହ୍ନରେ ଯେଉଁ ପୁଅ ଝିଅ ନାତି ନାତୁଣୀ ଥିଲେ ସାହାରା, ଆଜି ସେମାନଙ୍କୁ ହର।ଇ କେମିତି ବା ଧର୍ଯ୍ୟ ଧରିବେ ଏମାନେ। ସେପଟେ ଘରର ରୋଜଗାରିଆ ପୁଅ- ଝିଅ ଚାଲିଗଲେନି ତ ସବୁ କିଛି ଯେମିତି ଛାର ଖାର ହୋଇ ଯାଇଛି। ଜୟଦେବ ବିହାର ଛକର ସେହି ପରିଚିତ ବେହେରା ହୋଟେଲ୍, ଯାହାକୁ ସମ୍ଭାଳୁଥିଲେ ଶିବପ୍ରସାଦ। ଯେଉଁଠି ଦିନେ ଗ୍ରାହକଙ୍କ ଗହଳି ଚହଳି ଲାଗିରହୁଥିଲା, ଆଜି ସେଠି ଶୂନ୍ୟତା । ଗୋଟିଏ ଅଭିଶପ୍ତ ଦୁର୍ଘଟଣା ପରେ ସବୁକିଛି ଓଲଟପାଲଟ।

ସକାଳ ହେଉ ଅବା ମଧ୍ୟାହ୍ନ ବା ରାତି । ଯେଉଁଠି ଗ୍ରାହକଙ୍କ ଭିଡ଼ ଜମୁଥିଲା, ଆଜି ସେଠି କେବଳ ନିଶବ୍ଦତା । ଜୟଦେବ ବିହାର ଛକରେ ଥିବା ପରିଚିତ ବେହେରା ହୋଟେଲ, ଆଜି ସମ୍ପୂର୍ଣ୍ଣ ଖାଁ ଖାଁ । ଯେଉଁ ହୋଟେଲରେ ଦିନରାତି ପରିଶ୍ରମ କରି ଶିବ ପ୍ରସାଦ ଲୋକଙ୍କ ପରସି ଦେଉଥିଲେ ସ୍ୱାଦିଷ୍ଟ ଖାଦ୍ୟ, ଆଜି ସେହି ହୋଟେଲରେ ଝୁଲୁଛି ତାଲା। ଆଉ ତାରି ପାଖରେ ଶୋକାକୁଳ ପରିବେଶ । ନିୟତିର କ୍ରୂର ପରିହାସରେ ମଧ୍ୟପ୍ରଦେଶର ମା’ ବଗଲାମୁଖୀ ଦର୍ଶନ ସାରି ଫେରୁଥିବା ବେଳେ ଗାଡ଼ି ଭାସିଯାଇ ଶିବ ପ୍ରସାଦଙ୍କ ସମେତ ବନମାଳୀ ବେହାର ଓରଫ ବନାଭାଇଙ୍କ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି। ତାପରର ଦୃଶ୍ୟ ଏବେ ଆଖି ସାମ୍ନାରେ । ସବୁ କିଛି ଖାଁ ଖାଁ। ଭିନ୍ନ ଏକ ନୀରବତା। ଆଉ ନିଶବ୍ଦତା ଭିତରେ ଗୁମୁରି କାନ୍ଦୁଛି ସେହି ଦାଣ୍ଡ ଦୁଆର। ହୋଟେଲରେ ପ୍ରତି କୋଣ ଅନୁକୋଣରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ହୋଟେଲ୍ କର୍ମଚାରୀ...

 Also Read- Madhya Pradesh Car Tragedy : ମୋ ଅଭିମାନ ଭାଙ୍ଗିଲନି ଚାଲିଗଲ ମୋତେ ଛାଡ଼ି; ମୁଁ ତୁମ ଅଭାଗିନୀ କରିବି କଣ, ବଞ୍ଚିବି କେମିତି ?

ସେପଟେ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧ ବାପା ବନମାଳୀ ବେହେରା ଓ ମାଆ । ଆଖିରୁ ଲୁହ ଶୁଖୁନି, ପାଟିରୁ ଭଲରେ କଥା ବାହାରୁନି। କେବଳ ପୁଅ ନୁହେଁ, ଝିଅ ଜ୍ୱାଇଁ, ଅବିବାହିତ ଝିଅ , ନାତି-ନାତୁଣୀଙ୍କୁ ହରାଇବା ପରେ ସେମାନଙ୍କ ସଂସାର ଯେମିତି ଉଜୁଡ଼ି ଯାଇଛି । ଯେଉଁ ପୁଅ ପୂରା ପରିବାରର ବୋଝ ଉଠାଉଥିଲା, ସେ ଆଜି ଆରପାରିରେ । ନିଜ ଆଖି ସାମ୍ନାରେ ପୁଅର ଏଭଳି ଅକାଳ ବିଦାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୃଦ୍ଧ ପିତାମାତା । କାନ୍ଦି କାନ୍ଦି ବାପା କହୁଛନ୍ତି ଯିଏ ମତେ ଶେଷ ସମୟରେ କାନ୍ଧ ଦେଇଥାନ୍ତା ଆଜି ତାକୁ ମୁଁ କାନ୍ଧ ଦେବା ବଡ଼ ଦୁର୍ଭାଗ୍ୟ । ସତରେ ଏମିତି ଏକ ଦୁର୍ଘଟଣା ଗୋଟିଏ ପରିବାରଟାକୁ ଶେଷ କରିଦେଲା । ବୁଢ଼ା ବାପା-ମାଆଙ୍କର ଏବେ କେହି ସାହାରା ରହିଲେନି । ଶିବ ନିଜେ ହୋଟେଲ ଚଳାଉଥିଲା, କେବେ କେବେ ଝିଅ ଓ ଶିବ ଙ୍କ ଭିଣେଇ ମଧ୍ୟ ଆସି ଦୋକାନ କଥା ବୁଝୁଥିଲେ । ଦୋକାନ ବି ଖୁବ୍ ଭଲ ଚାଲୁଥିଲା। ସମସ୍ତଙ୍କର ସ୍ଥାନୀୟ ଲୋକଙ୍କ ସହ ଭଲ ସମ୍ପର୍କ ବି ଥିଲା।

 Also Read- Odisha mysterious tree : ଗଛରୁ ଡାଳ ଭାଙ୍ଗିଲେ ୨୧ ଦିନ ଜ୍ୱର... ଫଳ ଜବରଦସ୍ତି ତୋଳିଲେ ବିପଦ !

ସମୟ ଗଡ଼ିଚାଲିବ, ଜୟଦେବ ବିହାର ଛକରେ ପୂର୍ବପରି କୋଳାହଳ ବି ଫେରିଆସିବ । ହେଲେ ବେହେରା ହୋଟେଲ ଆଗରେ ଛାଇଯାଇଥିବା ଏହି ଶୂନ୍ୟତା ହୁଏତ ଏତେ ସହଜରେ ଯିବନି। ପରିବାରର ଏହି କ୍ଷତ ହୁଏତ କେବେ ବି ପୂରଣ ହେବନି। ସ୍ଥାନୀୟ ଲୋକଙ୍କ ମନରୁ ବି ଏଭଳି ଏକ ଦୁଃଖଦ ଘଟଣା ଲିଭିବନି। ବେହେରା ହୋଟେଲ୍ ସବୁବେଳେ ମନେ ପକାଇଦେବ ଜୀବନରୁ ଚାୱଲିଯାଇଥଖିବା ଶିବ ପ୍ରସାଦ ଓ ତାଙ୍କ ପରିବାରର ସ୍ମୃତିକୁ।