ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଏହି ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା କଳିଙ୍ଗପଟନମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୬୦ କିଲୋମିଟର, ବିଶାଖାପଟନମର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୪୦ କିଲୋମିଟର, ଗୋପାଳପୁରର ଦକ୍ଷିଣ ଦିଗରେ ୧୫୦ କିଲୋମିଟର ଏବଂ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ପ୍ରାୟ ୨୪୦ କିଲୋମିଟର ଦୂରରେ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ, ବିଶାଖାପଟନମ ଓ ଗୋପାଳପୁର ମଧ୍ୟବର୍ତ୍ତୀ କଳିଙ୍ଗପଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଆଜି ସନ୍ଧ୍ୟା ସମୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ। ବିଶେଷକରି ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ।

ଆସନ୍ତା ୨୪ ଘଣ୍ଟା ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

also read- IMD କହିଲା ଗଭୀର ଅବପାତ, JTWC କହୁଛି ବାତ୍ୟା; ଓଡ଼ିଶା ପାଇଁ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

୨୪ ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିବ। ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗଭୀର ଅବପାତ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ବନ୍ଦରରେ ବିପଦ ସଙ୍କେତ ନମ୍ବର-୩ ଜାରି କରାଯାଇଛି।

ପବନର ବିଶେଷ ପ୍ରଭାବ ରହିବ ନାହିଁ। ମୁଖ୍ୟତଃ ବର୍ଷାର ପ୍ରଭାବ ହିଁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଅର୍ଥାତ୍, ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିବା ପୂର୍ବରୁ ଓ ପରେ ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀ ବର୍ଷା ଜାରି ରହିବ। ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କ ରହିବା ସହ ଜରୁରୀ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।