ୱାଶିଂଟନ୍:ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସାର୍ବଜନୀନ ଭାବେ ପାକିସ୍ତାନକୁ ପ୍ରଶଂସା କରିବା ପରେ, ପଶ୍ଚିମ ଏସିଆ ବିବାଦର ସମାଧାନ ପାଇଁ ଚାଲିଥିବା ଆଲୋଚନାରେ ପାକିସ୍ତାନର ଭୂମିକାକୁ ନେଇ ରିପବ୍ଲିକାନ୍ ସାଂସଦମାନେ ପ୍ରଶ୍ନ ଉଠାଇଛନ୍ତି। ଆମେରିକା-ଇରାନ ବିବାଦ ମଧ୍ୟରେ ପାକିସ୍ତାନ ଏବଂ କାତାର ଆଲୋଚନାରେ ମୁଖ୍ୟ ମଧ୍ୟସ୍ଥି ଭାବେ ଉଭା ହୋଇଛନ୍ତି। ଗତ ସପ୍ତାହରେ ଯୁଦ୍ଧ ସମାପ୍ତ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉଭୟ ପକ୍ଷକୁ 'ଏକ କୂଟନୈତିକ ସମାଧାନ ଖୋଜିବାର ପ୍ରତିବଦ୍ଧତା' ପାଇଁ ଧନ୍ୟବାଦ ଜଣାଇଥିଲେ ।

ବର୍ତ୍ତମାନ ଚୂଡ଼ାନ୍ତ ଚୁକ୍ତିର ବୈଷୟିକ ଦିଗ ଉପରେ ଆଲୋଚନା ଚାଲିଥିବା ବେଳେ ଆମେରିକାର ଦୁଇ ଜଣ ସାଂସଦ ଇସଲାମାବାଦ ଏବଂ କତାରର ମଧ୍ୟସ୍ଥତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସୁଇଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ପ୍ରତିନିଧିଙ୍କ ସହ ପାକିସ୍ତାନ ଓ କତାରର ନେତାମାନେ ଆଲୋଚନା କରୁଥିବା ବେଳେ ଭାନ୍ସ "ଆମେ ପାକିସ୍ତାନକୁ ଭଲପାଉ" ବୋଲି ମନ୍ତବ୍ୟ ଦେଇଥିଲେ। ଏହାପରେ ଆମେରିକୀୟ ସାଂସଦମାନେ ଏହି ଦେଶଗୁଡ଼ିକର 'ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ଇତିହାସ' କଥା ଉଠାଇବା ସହ ସେମାନେ ଇରାନର ଆତଙ୍କବାଦୀ ଅଭିଯାନକୁ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

୧. 'ବିନ୍ ଲାଡେନକୁ ଲୁଚାଇଥିଲା ପାକିସ୍ତାନ':କ'ଣ କହିଲେ ସାଂସଦ?

  • ରିକ୍ ସ୍କଟ୍ଙ୍କ ପ୍ରତିକ୍ରିୟା:ସୋମବାର ସୋସିଆଲ ମିଡିଆ ଏକ୍ସ (X) ରେ ଏକ ପୋଷ୍ଟ କରି ରିପବ୍ଲିକାନ୍ ସାଂସଦ ରିକ୍ ସ୍କଟ୍ କହିଛନ୍ତି, “ଆମର ପ୍ରକୃତ ବନ୍ଧୁ କିଏ, ତାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ପଷ୍ଟ ହେବା ଉଚିତ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରେ କାତାର ଏବଂ ପାକିସ୍ତାନର ଦୀର୍ଘ ଇତିହାସ ରହିଛି ଏବଂ ବର୍ତ୍ତମାନ ସେମାନେ ଏକ ପ୍ରକୃତ ଶାନ୍ତି ଆଣିବା ଅପେକ୍ଷା ଇରାନର ଦଶନ୍ଧି ପୁରୁଣା ଆତଙ୍କବାଦୀ ଅଭିଯାନକୁ ସମର୍ଥନ କରିବା ଦିଗରେ ଅଧିକ ପ୍ରୟାସ କରୁଥିବା ଜଣାପଡୁଛି।” ସମସ୍ତଙ୍କ ପାଇଁ ଲାଭଦାୟକ ହେବା ଭଳି ଏକ କାର୍ଯ୍ୟକ୍ଷମ ଚୁକ୍ତିର ସୁଯୋଗ ଥିଲେ ମଧ୍ୟ ଇରାନ ଯେପରି କୌଣସି ପରମାଣୁ ଅସ୍ତ୍ର ନିର୍ମାଣ କରିପାରିବ ନାହିଁ ତାହା ନିଶ୍ଚିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
  • ଟିମ୍ ସିହିଙ୍କ ଅଭିଯୋଗ:ଅନ୍ୟ ଜଣେ ରିପବ୍ଲିକାନ୍ ସାଂସଦ ତଥା ମୋଣ୍ଟାନାର ନେତା ଟିମ୍ ସିହି 'ଫକ୍ସ ନ୍ୟୁଜ୍'କୁ ଏକ ସାକ୍ଷାତକାରରେ ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ପାକିସ୍ତାନ ଆଶ୍ରୟ ଦେବା କଥା ମନେପକାଇ ଦେଇଛନ୍ତି। ସେ କହିଛନ୍ତି, "ପାକିସ୍ତାନ ଗୋଟିଏ ଦଶନ୍ଧି ଧରି ବିନ୍ ଲାଡେନକୁ ଲୁଚାଇ ରଖିଥିଲା ଏବଂ ନିଜ ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ମାଧ୍ୟମରେ ଆମ ବିରୋଧୀଙ୍କୁ ଏବଂ ଆୟାତୋଲ୍ଲାଙ୍କୁ ଅର୍ଥ ଯୋଗାଇଥିଲା। ତେଣୁ ସେମାନଙ୍କୁ ଏଠାରେ ଏକ ନିରପେକ୍ଷ ମଧ୍ୟସ୍ଥି ଭାବିବା ଆଦୌ ଠିକ୍ ନୁହେଁ।ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ “ଯଦି ପାକିସ୍ତାନ ଏବଂ କତାର ଆଲୋଚନାରେ ସାମିଲ ହେଉଛନ୍ତି, ତେବେ ମଧ୍ୟପ୍ରାଚ୍ୟରେ ଆମେରିକାର "ପ୍ରକୃତ ମିତ୍ର"ୟୁଏଇ,ଇସ୍ରାଏଲ୍ ଏବଂ ସାଉଦି ଆରବକୁ ମଧ୍ୟ ସାମିଲ କରାଯିବା ଉଚିତ

୨. 'ମଧ୍ୟସ୍ଥି ଭାବେ ପାକିସ୍ତାନ ଏକ ସମସ୍ୟା':ଲିଣ୍ଡସେ ଗ୍ରାହାମ୍

  • ଏହି ଦୁଇ ସାଂସଦଙ୍କ ବୟାନ ପୂର୍ବରୁ ମେ' ମାସରେ ରିପବ୍ଲିକାନ୍ ସାଂସଦ ଲିଣ୍ଡସେ ଗ୍ରାହାମ୍ ମଧ୍ୟ ସମାନ କଥା କହିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଗ୍ରାହାମ୍ 'ଆବ୍ରାହମ୍ ଆକର୍ଡସ୍' ମାଧ୍ୟମରେ ଇସ୍ରାଏଲକୁ କୂଟନୈତିକ ସ୍ୱୀକୃତି ଦେବାକୁ ପାକିସ୍ତାନକୁ ଆହ୍ୱାନ ଦେଇଥିଲେ।
  • ଗ୍ରାହାମ୍ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ, "ମଧ୍ୟସ୍ଥି ଭାବରେ ପାକିସ୍ତାନର ଉପସ୍ଥିତି ଏକ ବଡ଼ ସମସ୍ୟା। ଇସ୍ରାଏଲ୍ ପ୍ରତି ସେମାନଙ୍କର ଶତ୍ରୁତା ବହୁ ପୁରୁଣା। ଇରାନର ସାମରିକ ବିମାନଗୁଡ଼ିକୁ ପାକିସ୍ତାନର ବିମାନ ଘାଟିରେ ରଖାଯାଉଥିବା ନେଇ ଆସିଥିବା ଖବର ଅତ୍ୟନ୍ତ ଉଦବେଗଜନକ।"
  • ସେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ଜଏଣ୍ଟ ଚିଫ୍ସ ଚେୟାରମ୍ୟାନ୍ ଜେନେରାଲ୍ ଡାନ୍ କେନ୍ଙ୍କୁ ଏକ ସିନେଟ୍ ଶୁଣାଣି ବେଳେ ଏହି ପ୍ରସଙ୍ଗରେ କଡ଼ା ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, "ମୁଁ ପାକିସ୍ତାନ ଉପରେ ଆଦୌ ବିଶ୍ୱାସ କରେ ନାହିଁ। ଯଦି ପ୍ରକୃତରେ ଇରାନର ସାମରିକ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ଘାଟିରେ ଇରାନ ବିମାନ ରଖାଯାଉଛି, ତେବେ ମଧ୍ୟସ୍ଥତା ପାଇଁ ଆମେ ଅନ୍ୟ କାହାକୁ ଖୋଜିବା ଉଚିତ।"