ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଏବଂ ଚମକାଇଲା ଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଜଳମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଦେଇ ଯାଉଥିବା ସମସ୍ତ ମାଲବାହୀ ଜାହାଜଗୁଡ଼ିକ ପାଖରୁ ଆମେରିକା ୨୦ ପ୍ରତିଶତ ଟିକସ ଆଦାୟ କରିବ।

ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ' ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଏବେ ଠାରୁ ଆମେରିକା ହର୍ମୁଜ ପ୍ରଣାଳୀର ଗାର୍ଡିଆନ୍‌ । ଏହି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଯୋଗାଇବା ପାଇଁ ହେଉଥିବା ଖର୍ଚ୍ଚର ଭରଣା ନିମନ୍ତେ, ଏହି ମାର୍ଗ ଦେଇ ଯାଉଥିବା ସମସ୍ତ କାର୍ଗୋ ପାଖରୁ ୨୦% ଟିକସ ଆଦାୟ କରାଯିବ। ଏହି ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯିବ।

ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଖୋଲା ଅଛି ଏବଂ ଏହା ଖୋଲା ହିଁ ରହିବ। କିନ୍ତୁ ଆମେରିକା ପୁଣି ଥରେ ଇରାନ ଉପରେ ସାମୁଦ୍ରିକ ପ୍ରତିବନ୍ଧକ ଲାଗୁ କରୁଛି। ଏହି ପ୍ରତିବନ୍ଧକ କେବଳ ଇରାନର ଜାହାଜ ଉପରେ ଲାଗିବ । ଇରାନ ବ୍ୟତୀତ ବିଶ୍ୱର ଅନ୍ୟ ସମସ୍ତ ଦେଶ ଏହି ପ୍ରଣାଳୀର ବ୍ୟବହାର ମୁକ୍ତ ଏବଂ ସ୍ୱାଭାବିକ ଭାବରେ କରିପାରିବେ।

ନିଜର ଏହି ସୋସିଆଲ ମିଡିଆ ପୋଷ୍ଟର କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ 'ଫକ୍ସ ନ୍ୟୁଜ୍'କୁ ଏକ ସାକ୍ଷାତକାର ଦେଇଥିଲେ। ସେଥିରେ ସେ କହିଥିଲେ ଯେ, ଆମେରିକା ହର୍ମୁଜ ପ୍ରଣାଳୀର ନିୟନ୍ତ୍ରଣ ନିଜ ହାତକୁ ନେଉଛି। ସେ କହିଥିଲେ, ‘ଆମେ ଏହି ଜଳପଥକୁ ନିଜ ଅଧୀନରେ ରଖିବୁ ଏବଂ ଏହାର ପରିଚାଳନା ମଧ୍ୟ କରିବୁ। ଆମେ ହେବୁ ଏହାର ରକ୍ଷାକର୍ତ୍ତା, ବୋଧହୁଏ ଆମେ ନିଜକୁ ‘ଗାର୍ଡିଆନ ଏଞ୍ଜେଲ୍ ଅଫ ଦ ଷ୍ଟ୍ରେଟ୍’ ବୋଲି କହିବୁ। ଆଉ ଏହି ସୁରକ୍ଷା ବଦଳରେ ଆମକୁ ଅର୍ଥ ମିଳିବା ଉଚିତ।’ ଟ୍ରମ୍ପଙ୍କ ଏହି ନୂଆ ଆଭିମୁଖ୍ୟ ପରେ ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।