ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦରେ ଇରାନକୁ ଧମକ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଙ୍ଗଳବାର ଜାତିସଂଘ ମହାସଭାରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, ଇରାନ ସହ ଚୁକ୍ତି କରିବାର ବିକଳ୍ପ ଆମେରିକା ବିଚାର କରୁଛି। ଅନ୍ୟପକ୍ଷରେ, ଇରାନ ଉପରେ ଚାପ ଆହୁରି ବଢ଼ାଇବାର ବିକଳ୍ପ ମଧ୍ୟ ଖୋଲା ରହିଛି। ଏହି ବିକଳ୍ପ ଇରାନକୁ ‘ନର୍କକୁ’ ଠେଲିଦେଇପାରେ ବୋଲି ଟ୍ରମ୍ପ କହିଛନ୍ତି।

ଏନେଇ ମହାସଭାରେ ଟ୍ରମ୍ପ ପ୍ରଶ୍ନ କରିଛନ୍ତି ଯେ ଇରାନକୁ ଚୁକ୍ତି ପାଇଁ ସୁଯୋଗ ଦିଆଯିବା ଉଚିତ ନା ଭବିଷ୍ୟତରେ ଯେମିତି ଅନ୍ୟ ଦେଶ ଓ ଲୋକଙ୍କୁ କ୍ଷତି କରିବାର ସୁଯୋଗ ନ ମିଳିବ ସେଥିପାଇଁ ଇରାନକୁ ଶୀଘ୍ର ଧ୍ୱଂସ କରି ଦେବା ଉଚିତ ? ତେବେ ନଭେମ୍ବରରେ ହେବାକୁ ଥିବା ଆମେରିକାର ମିଡ୍ଟର୍ମ ନିର୍ବାଚନ ପରେ ୱାଶିଂଟନ ଓ ତେହରାନ ମଧ୍ୟରେ ଏକ ଚୁକ୍ତି ହୋଇପାରେ ବୋଲି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି।

ଇରାନ ଉପରେ ଆର୍ଥିକ ଚାପ ପାଇଁ ଆହ୍ୱାନ

ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଇରାନ ଉପରେ ଆର୍ଥିକ ଚାପ ଜାରି ରଖିବାକୁ ଆହ୍ୱାନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଇରାନ ଆଉ ମଧ୍ୟପ୍ରାଚ୍ୟ ପାଇଁ ଆଉ ଏକ ବିପଦ ହୋଇ ରହି ନାହିଁ। ଆମେରିକା ଇରାନର ମଧ୍ୟପ୍ରାଚ୍ୟରେ ଥିବା ପ୍ରଭାବକୁ ଦୁର୍ବଳ କରିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଇରାନକୁ ଦୁନିଆ ପାଇଁ ବିପଦ ସୃଷ୍ଟି କରିଥିବା ଏକ ଶକ୍ତି ବୋଲି କହିବା ସହ ଅନ୍ୟ ଦେଶଗୁଡ଼ିକୁ ଏକଜୁଟ ହୋଇ ଇରାନ ଉପରେ ଚାପ ଜାରି ରଖିବାକୁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି।

ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ ଆର୍ଥିକ ଭାବେ ଅଲଗା କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି। ଇରାନ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା, ପରମାଣୁ କାର୍ଯ୍ୟକ୍ରମରୁ ପଛକୁ ହଟିବା ଏବଂ ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ପର୍ଯ୍ୟନ୍ତ ଏହି ଆର୍ଥିକ ଚାପ ଜାରି ରହିବା ଉଚିତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

Also Read- ୟୁଜରଙ୍କ ଲୋକେସନ୍ ଡାଟା ବ୍ୟବହାରକୁ ନେଇ Google ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୪ ହଜାର କୋଟି ଟଙ୍କା ଫାଇନ

ହର୍ମୁଜ୍‌ରେ ତେଲ ପରିବହନ ନେଇ ଟ୍ରମ୍ପଙ୍କ ଦାବି

ହର୍ମୁଜ୍ ପ୍ରଣାଳୀକୁ ନେଇ ମଧ୍ୟ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ଆମେରିକୀୟ ନୌସେନା ହର୍ମୁଜ୍ ପ୍ରଣାଳୀ ଦେଇ ୧ ବିଲିୟନରୁ ଅଧିକ ବ୍ୟାରେଲ୍ ତେଲ ପରିବହନକୁ ସୁରକ୍ଷା ଦେଇଥିବା ସେ କହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ତେଲ ପ୍ରବାହ ସର୍ବାଧିକ ଥିବା ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି। ପ୍ରତିଦିନ ଏବଂ ପ୍ରତିରାତି ବହୁ ସଂଖ୍ୟକ ଜାହାଜକୁ ହର୍ମୁଜ୍ରୁ ବାହାର କରାଯାଉଥିବା ସେ କହିଛନ୍ତି।

ଆମେରିକା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ: ଟ୍ରମ୍ପ

ଆମେରିକାର ସାମରିକ ଅସ୍ତ୍ରଭଣ୍ଡାର କମିଯାଉଛି ବୋଲି ଗଣମାଧ୍ୟମରେ ଆସୁଥିବା ରିପୋର୍ଟକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଆମେରିକା ପାଖରେ ଆବଶ୍ୟକତାଠାରୁ ଅଧିକ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ରହିଛି। ଦେଶରେ ରେକର୍ଡ ସ୍ତରରେ ଅସ୍ତ୍ର ଉତ୍ପାଦନ ଚାଲିଛି ଏବଂ ନୂଆ ଗୋଳାବାରୁଦ କାରଖାନା ମଧ୍ୟ ନିର୍ମାଣ ହେଉଛି ବୋଲି ସେ କହିଛନ୍ତି।

ଆମେରିକାର ଅର୍ଥନୀତି ଓ ଅପରାଧ ନିୟନ୍ତ୍ରଣକୁ ନେଇ ଟ୍ରମ୍ପଙ୍କ ଦାବି

ଜାତିସଂଘରେ ନିଜ ଭାଷଣର ଆରମ୍ଭରେ ଟ୍ରମ୍ପ ଆମେରିକାର ଅର୍ଥନୀତି, ଶକ୍ତି, ଟେକ୍ନୋଲୋଜୀ, ଅପରାଧ ନିୟନ୍ତ୍ରଣ ଓ ନୀତିର ସଫଳତା ନେଇ କହିଥିଲେ। ଆମେରିକା ଆଜି ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି।

ଟ୍ରମ୍ପଙ୍କ ଦାବି ଅନୁସାରେ, ଗତ ବର୍ଷ ଆମେରିକାରେ ହିଂସାତ୍ମକ ଅପରାଧରେ ସବୁଠାରୁ ବଡ଼ ହ୍ରାସ ରେକର୍ଡ ହୋଇଛି। ହତ୍ୟା ହାର ୧୨୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଥିବା ମଧ୍ୟ ସେ ଦାବି କରିଛନ୍ତି।

ୱାଶିଂଟନ ଡିସିରେ ଅପରାଧ ୮୭ ପ୍ରତିଶତ କମିଥିବା ଟ୍ରମ୍ପ କହିଛନ୍ତି। ଏଥିପାଇଁ ତାଙ୍କ ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଯେଉଁଥିରେ ନ୍ୟାସନାଲ୍ ଗାର୍ଡ ଓ ଫେଡେରାଲ୍ ଇମିଗ୍ରେସନ୍ ଏନଫୋର୍ସମେଣ୍ଟ କର୍ମଚାରୀଙ୍କ ମୁତୟନ ସାମିଲ ବୋଲି ସେ ଉଲ୍ଲେଖ କରିଛନ୍ତି। ଜାତିସଂଘରେ ଟ୍ରମ୍ପ ଦେଇଥିବା ଭାଷଣରେ ଇରାନ ଉପରେ ଚାପ, ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ ଭୂମିକା ଏବଂ ନିଜ ପ୍ରଶାସନର ଘରୋଇ ରେକର୍ଡକୁ ଗୁରୁତ୍ୱ ଦେଇଛନ୍ତି।