ଭୁବନେଶ୍ୱର : ନାଗାଲାଣ୍ଡର ଏକ ଆଞ୍ଚଳିକ କାହାଣୀ ଏବେ ବିଶ୍ୱ ଦରବାରରେ । ‘Angh’ ନାମକ ଏହି ଫିଲ୍ମ ଟୋରଣ୍ଟୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ (TIFF) ୨୦୨୬ର ପ୍ରତିଷ୍ଠିତ ପ୍ଲାଟଫର୍ମ କମ୍ପେଟିସନ ଜିତିଛି। ଏହି ବିଜୟ ପରେ ଫିଲ୍ମଟି ୨୦୨୭ ଓସ୍କାରର International Feature Film ବର୍ଗ ପାଇଁ ମନୋନୀତ ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ସମସ୍ତ ଦର୍ଶକଙ୍କ ମନରେ ପ୍ରଶ୍ନ ଆସୁଛି ଯେ ‘Angh’ରେ ଏମିତି କ’ଣ ଅଛି ଯାହା ପାଇଁ ଏହି ଫିଲ୍ମକୁ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି ?

‘Angh’ର କାହାଣୀ ୧୯୬୦ ଦଶକର ନାଗାଲାଣ୍ଡ ଅସୀବାସୀଙ୍କୁ ନେଇ ତିଆରି । ଫିଲ୍ମର କେନ୍ଦ୍ରରେ ଅଛନ୍ତି ଜଣେ ବୟସ୍କ କୋନ୍ୟାକ୍ ଗାଁ ମୁଖିଆ ଏବଂ ତାଙ୍କ ପୁଅ। ସେମାନେ ଏମିତି ଏକ ସମୟରେ ବଞ୍ଚୁଛନ୍ତି, ଯେତେବେଳେ ପୁରୁଣା ଆସ୍ଥା, ପରମ୍ପରା ଓ ଜୀବନଶୈଳୀ ଦ୍ରୁତ ଭାବେ ବଦଳିବାକୁ ଲାଗିଛି। ଜଣେ ଆମେରିକୀୟ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଆଗମନ ପରେ ଏହି ପରିବାର ଏବଂ ସମୁଦାୟ ସାମ୍ନା କରେ ଧର୍ମ, ପରିଚୟ, ପରମ୍ପରା ଓ ପରିବର୍ତ୍ତନର ଅନେକ ପ୍ରଶ୍ନ। ଏହି ଫିଲ୍ମରେ ନାଗା ସଂସ୍କୃତିକୁ ମିଳିଛି ବହୁତ ଗୁରୁତ୍ୱ |

ଫିଲ୍ମର ବଡ଼ ବିଶେଷତା ହେଉଛି କାହାଣୀଟି କେବଳ ଜଣେ ବାପା ଓ ପୁଅର ସମ୍ପର୍କ ନୁହେଁ। ଏହା ମାଧ୍ୟମରେ ନାଗା ସମାଜର ପରମ୍ପରା, ଆଦିବାସୀ ପରିଚୟ, ଆସ୍ଥା ଓ ବଦଳୁଥିବା ସମୟକୁ ବଡ଼ ପରଦାରେ ଦେଖାଯାଇଛି। ଫିଲ୍ମରେ ନାଗାଲାଣ୍ଡର ଆଦିବାସୀ କଳାକାରଙ୍କ ସହ 'BAFTA' ବିଜେତା ଅଭିନେତା ଡଗ୍ଲାସ୍ ହେନ୍ସହଲ ମଧ୍ୟ ଅଭିନୟ କରିଛନ୍ତି। ‘Angh’ ହେଉଛି ନାଗା ଫିଲ୍ମମେକର୍ ଥେଜା ରିଓଙ୍କ ପ୍ରଥମ ଫିଚର୍ ଡାଇରେକ୍ଟୋରିଆଲ୍ ଫିଲ୍ମ। ଏହି କାହାଣୀର ମୂଳ ଏକ ସର୍ଟ ଫିଲ୍ମରେ ଥିଲା, ଯାହାକୁ ପରେ ବିସ୍ତାର କରି ପୂର୍ଣ୍ଣ ଦୈର୍ଘ୍ୟର ଫିଲ୍ମ କରାଯାଇଥିଲା। TIFFର ପ୍ଲାଟଫର୍ମ କମ୍ପେଟିସନରେ ଏହା ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଚୟନ ହୋଇଥିଲା। ଏହି ପ୍ରତିଯୋଗିତାର ଜୁରି ଫିଲ୍ମର ନିର୍ଦ୍ଦେଶକୀୟ ଦୃଷ୍ଟିକୋଣ, ସାହସ ଓ ଭାବନାତ୍ମକ ପ୍ରଭାବକୁ ପ୍ରଶଂସା କରିଛନ୍ତି।

ତେବେ ୨୦୨୭ ଓସ୍କାର ପାଇଁ ଏକାଡ଼େମୀର ନୂଆ ନିୟମ ଅନୁସାରେ, ନିର୍ଦ୍ଦିଷ୍ଟ ଛଅଟି ପ୍ରମୁଖ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର କିଛି ନିର୍ଦ୍ଦିଷ୍ଟ ପୁରସ୍କାର ଜିତିଥିବା ନନ-ଇଂଲିଶ ଫିଲ୍ମ ସିଧାସଳଖ International Feature Film ବର୍ଗରେ ସାମିଲ ପାଇଁ ଯୋଗ୍ୟ ହୋଇପାରିବ। ତେଣୁ ‘Angh’ ଏବେ ଓସ୍କାର ପାଇଁ ନୋମିନେଟ୍ ହୋଇନାହିଁ, କିନ୍ତୁ ଏହାର ଫିଲ୍ମକୁ ଓସ୍କାର ପାଇଁ ବିଚାର କରାଯିବାର ଯୋଗ୍ୟତା ମିଳିଛି। ପରବର୍ତ୍ତୀ ପର୍ଯ୍ୟାୟରେ Academy ନିଜ ପ୍ରକ୍ରିୟା ଅନୁସାରେ ଫିଲ୍ମଗୁଡ଼ିକୁ ମୂଲ୍ୟାୟନ କରିବ। ‘Angh’ର TIFF ବିଜୟ କେବଳ ଏକ ଫିଲ୍ମର ପୁରସ୍କାର ନୁହେଁ। ନାଗାଲାଣ୍ଡର ଏକ ସ୍ଥାନୀୟ ସମୁଦାୟ, ତାହାର ଇତିହାସ, ସଂସ୍କୃତି ଓ ମଣିଷଙ୍କ କାହାଣୀକୁ ବିଶ୍ୱ ସିନେମାର ବଡ଼ ମଞ୍ଚରେ ପହଞ୍ଚାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।