ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ (Middle East) ରେ ଶାନ୍ତିର ସମସ୍ତ ଆଶା ମଉଳି ଯାଇଥିବା ବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି। ଆମେରିକା ପକ୍ଷରୁ ଇରାନ ଉପରେ ପୁଣି ଆକ୍ରମଣ କରାଯାଇଥିବା ବେଳେ, ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଇଁ ଆଜି ରାତି ଅତ୍ୟନ୍ତ ଭୟଙ୍କର ହେବ ଏବଂ ତାକୁ ଏହାର ବଡ଼ ପରିଣାମ ଭୋଗିବାକୁ ପଡ଼ିବ।

ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' (Truth Social) ରେ ପୋଷ୍ଟ କରି ଇରାନକୁ ଧମକ ଦେଇଛନ୍ତି । ଟ୍ରମ୍ପ ଲେଖିଛନ୍ତି, ‘ଆମେରିକା ଆଜି ରାତିରେ ଇରାନ ଉପରେ ଏକ ବଡ଼ ଏବଂ ଜବରଦସ୍ତ ଆକ୍ରମଣ କରିବାକୁ ଯାଉଛି।’ସେ ଦାବି କରିଛନ୍ତି ଯେ, ଆମେରିକା ଆକ୍ରମଣରେ ଇରାନର ନେଭି, ଏୟାରଫୋର୍ସ, ରଡାର୍, ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ସମଗ୍ର ପ୍ରତିରକ୍ଷା ପ୍ରଣାଳୀ (Defense System) ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି।

ଆଗାମୀ ଯୋଜନା ବିଷୟରେ ଜଣାଇଲେ ଟ୍ରମ୍ପ

ଟ୍ରମ୍ପ କେବଳ ଆକ୍ରମଣ ନୁହେଁ, ବରଂ ଏହାପରେ ମାଷ୍ଟରପ୍ଲାନ କଣ ହେବ ସେନେଇ କହିଛନ୍ତି । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଆମେରିକା ଇରାନର ପ୍ରମୁଖ 'ଖାର୍ଗ ଦ୍ଵୀପ' (Kharg Island) ଏବଂ ତେଲ ସହ ଜଡ଼ିତ ଅନ୍ୟାନ୍ୟ ଭିତ୍ତିଭୂମିକୁ ନିଜ ନିୟନ୍ତ୍ରଣକୁ ନେବ। ଏହାଦ୍ଵାରା ସମଗ୍ର ଗ୍ୟାସ୍ ଏବଂ ତେଲ ବଜାର ଉପରେ ଆମେରିକା ଆଧିପତ୍ୟ ବିସ୍ତାର କରିବ, ଠିକ୍ ଯେମିତି ପୂର୍ବରୁ ଭେନେଜୁଏଲା ସହିତ କରାଯାଇଥିଲା।

କେମିତି ଓ କାହିଁକି ବଢ଼ିଲା ଏହି ଉତ୍ତେଜନା ?

ଚଳିତ ବର୍ଷ ୨୮ ଫେବୃଆରୀରେ ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ, ଏହା ପରଠାରୁ ଏହି ଅଞ୍ଚଳରେ ଅଶାନ୍ତି ଲାଗି ରହିଛି। ଯଦିଓ କିଛି ଦିନ ପୂର୍ବରୁ ଯୁଦ୍ଧବିରତି (Ceasefire) ଏବଂ ଆଲୋଚନା ସଫଳ ହେବା ନେଇ ଆଶା ସୃଷ୍ଟି ହୋଇଥିଲା, କିନ୍ତୁ ସ୍ଥିତି ପୁଣି ବିଗିଡ଼ି ଯାଇଛି। ଗୁରୁବାର ସକାଳେ ଆମେରିକା ସେନା ଇରାନ ଉପରେ ଏୟାରଷ୍ଟ୍ରାଇକ କରିଛି ।

ଏହାର ଜବାବରେ ଇରାନ ବାହାରିନ, କୁଏତ ସ୍ଥିତ ଆମେରିକୀୟ ସାମରିକ ବେସକୁ ଟାର୍ଗେଟ କରି ଆକ୍ରମଣ କରିଛି, ଫଳରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଇରାନର ସରକାରୀ ଗଣମାଧ୍ୟମ (IRNA) ର ରିପୋର୍ଟ ଅନୁଯାୟୀ, ଇରାନର ସେନା 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ' (IRGC) ଆମେରିକାର ବିମାନ ବନ୍ଦରଗୁଡ଼ିକ ଉପରେ ୧୨ଟି ବାଲିଷ୍ଟିକ ମିସାଇଲ ମାଡ଼ କରିଛି। ଏହି ବେସ୍ଗୁଡ଼ିକରେ ଆମେରିକାର F-35, F-15 ଏବଂ F-16 ଯୁଦ୍ଧବିମାନ ମୁତୟନ ଥିଲା।

ଇରାନର ସେନା ମୁଖ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୁରକ୍ଷା ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ 'ହର୍ମୁଜ ଷ୍ଟ୍ରେଟ୍' କୁ ସମସ୍ତ ପ୍ରକାର ବ୍ୟବସାୟିକ ଜାହାଜ ଏବଂ ତୈଳବାହୀ ଟ୍ୟାଙ୍କର ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଯଦି ଏହି ପଥରେ କୌଣସି ଜାହାଜ ଯାତାୟାତ କରେ, ତେବେ ତାହାକୁ ସିଧାସଳଖ ଟାର୍ଗେଟ କରାଯିବ ବୋଲି ଚେତାବନୀ ଦେଇଛି ଇରାନ । ଇରାନର ଏହି ନିଷ୍ପତ୍ତି ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ (Crude Oil) ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ବଢ଼ିଯାଇଛି ।