ନ୍ୟୁୟର୍କ, ୦୨। ୦୮ : ଆମେରିକାରେ ଗୁଳିକାଣ୍ଡ । ପୁଣି ଥରେ ବନ୍ଧୁକର ଗର୍ଜନରେ ଥରିଲା ଆମେରିକା । ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ୍ ଦେଲେ ଦୁର୍ବୃତ୍ତ । ଶନିବାର ଦେଶର ଇଡାହୋ ରାଜ୍ୟ ସ୍ଥିତ ଟ୍ୱିନ୍ ଫଲସର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି । ଏଥିରେ ତିନି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ଅନେକ ଗୁରୁତର ହୋଇଛନ୍ତି । ଅନ୍ୟ ଦିଗରେ ପୋଲିସ ଗୁଳିରେ ଦୁର୍ବୃତ୍ତ ପ୍ରାଣ ହରାଇଛି ।

ରିପୋର୍ଟ ଅନୁସାରେ, ଶନିବାର ସ୍ଥାନୀୟ ସମୟ ଦିନ ୨ଟା ୩୦ ମିନିଟରେ ଗୁଳିକାଣ୍ଡ ଘଟିଥିଲା । ଏକ ରେଷ୍ଟୁରାଣ୍ଟ ନିକଟରେ ଏହି ଘଟଣା ଘଟିଛି । ହଠାତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବନ୍ଧୁକର ଗର୍ଜନ ଶୁଭିଥିଲା । ଫଳରେ ଲୋକେ ଭୟଭୀତ ହୋଇ ପଡିଥିଲେ । ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିଥିଲେ ।

ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ସେହି ସମୟରେ ଆକ୍ରମଣକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ପୋଲିସ ତାକୁ ଆତ୍ମସମର୍ପଣ ପାଇଁ କହିଥିଲା । ହେଲେ ସେ ଫାୟାରିଂ କରିବା ଜାରି ରଖିଥିଲା । ଫଳରେ ପୋଲିସ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ଯେଉଁଥିରେ ଆକ୍ରମଣକାରୀର ମୃତ୍ୟୁ ଘଟିଛି ।

Also Read :- ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁନାବର୍ଷା : ଭାରତୀୟ ବକ୍ସର ଜିତିଲେ ୭ ସ୍ୱର୍ଣ୍ଣ, ରଚିଲେ ଇତିହାସ

ସୋସିଆଲ ମିଡିଆରେ ଆକ୍ରମଣର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏକ ଭିଡିଓରେ ଜଣେ ଯୁବକ ହାତରେ ରାଇଫଲ ଧରି ବୁଲୁଥିବା ନଜର ଆସିଛି । ସେ ସମସ୍ତଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରୁଛି । ଲୋକେ ଭୟରେ ଜୀବନ ରକ୍ଷା କରିବାକୁ ଧାଉଁଥିବା ମଧ୍ୟ ନଜର ଆସିଛି ।

ସୂଚନାଯୋଗ୍ୟ, ଆମେରିକାରେ ଗୁଳିକାଣ୍ଡ ଘଟଣା ନୂଆ ନୁହେଁ । ଏଠାରେ ଅଧିକାଂଶ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି । ପ୍ରତିଦିନ କେଉଁଠି ନା କେଉଁଠି ଆମେରିକୀୟ ବନ୍ଧୁକର ଗର୍ଜନ ଶୁଣୁଛନ୍ତି ।