ନୂଆଦିଲ୍ଲୀ, ୦୨। ୦୮ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିବସ ଭାରତ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ବିଶେଷ କରି ଭାରତୀୟ ବକ୍ସରମାନେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ୭ଟି ସ୍ପର୍ଣ୍ଣ ଓ ୩ଟି ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି। ଏଥରୁ କେବଳ ମହିଳା ବକ୍ସରମାନେ ୫ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ହାସଲ କରିଛନ୍ତି। ପୁରୁଷ ବର୍ଗରେ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପର୍ଯ୍ୟନ୍ତ କୌଣସି ଦେଶ କେବଳ ବକ୍ସିଂରେ ଏତେ ସଂଖ୍ୟକ ପଦକ ଜିତି ନଥିଲେ। ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବକ୍ସରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ୩ସ୍ୱର୍ଣ୍ଣ ପଦକ। ୨୦୧୦ ନୂଆଦିଲ୍ଲୀ, ୨୦୧୮ ଗୋଲ୍ଡ କୋଷ୍ଟ ଓ ୨୦୨୨ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବକ୍ସରମାନେ ୩ଟି ଲେଖାଏଁ ସ୍ପର୍ଣ୍ଣ ପଦକ ହାସଲ କରିଥିଲେ।

Also Read :- ଧରା ପଡିଲା ଟପ୍ ଆତଙ୍କବାଦୀର ଗାର୍ଲଫ୍ରେଣ୍ଡ୍ ! ମିଳିମିଶି କରୁଥିଲେ ପ୍ଲାନ୍, ମନ୍ତ୍ରୀଙ୍କ ପୁଅଙ୍କୁ ଫସାଇଥିଲେ...

ଆଥଲେଟିକ୍ସରେ ପୁରୁଷ ବର୍ଗ ଟ୍ରିପଲ ଜମ୍ପରେ ଭାରତକୁ ୨ଟି ପଦକ ମିଳିଛି। ପାରା ସଟ୍ ପୁଟ୍ (ଏଫ-୫୭)ରେ ମଧ୍ଯ ୨ଟି ପଦକ ହାସଲ କରିଛନ୍ତି ଭାରତୀୟ ପ୍ରତିଯୋଗୀ। ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଗୁଲବୀର ସିଂହ ଆଜି ୫୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅଷ୍ଟମ ଦିବସ ଶେଷ ସୁଦ୍ଧା ପଦକ ତାଲିକାର ଦଶମ ସ୍ଥାନରେ ରହିଥିବା ଭାରତ ଲମ୍ବା ଲମ୍ଫ ମାରି ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୧୩ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୯ ବ୍ରୋଞ୍ଜ ସହ ଭାରତ ମୋଟ୍ ୩୯ଟି ପଦକ ଅର୍ଜନ କରିଛି।

ବକ୍ସରଙ୍କ ଦବଦବା

ବକ୍ସରମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ବର୍ଣିମ ଅଧ୍ୟାୟ ଲେଖିଛନ୍ତି। ମହିଳା ୫୪ କିଲୋ ବର୍ଗରେ ପ୍ରୀତି କାନାଡ଼ାର ସ୍କାର୍ଲେଟ୍ ସାଭାନା ଡେଲଗାଡ଼ୋଙ୍କୁ ୫-୦ରେ ପରାଜିତ କରି ସ୍ୱର୍ଣ୍ଣ ହାସଲ କରିଥିଲେ। ପରେ ପରେ ୫୭ କିଲୋ ବର୍ଗରେ ଜସ୍ମିନ ଲମ୍ବୋରିୟା ନର୍ଦର୍ଣ୍ଣ ଆୟର୍ଲାଣ୍ଡର ମିକାଏଲା ୱାଲ୍ସଙ୍କୁ ୫-୦ରେ ହରାଇ ଦ୍ଵିତୀୟ ସ୍ୱର୍ଣ୍ଣ ଅର୍ଜନ କରିଥିଲେ। ମହିଳା ୫୧କିଲୋ ବର୍ଗରେ ସାକ୍ଷୀ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ ଶିବିରରେ ପୁନର୍ବାର ଉତ୍ସାହ ଭରିଥିଲେ। ସେ ଇଂଲଣ୍ଡର ରୁବି ହ୍ଵାଇଟଙ୍କୁ ଏକତରଫା ଭାବେ ୫-୦ରେ ହରାଇଥିଲେ। ଏହାପରେ ୬୦କିଲୋ ବର୍ଗରେ ସ୍ୱର୍ଣ୍ଣ ହାସଲ କରିଥିଲେ ପ୍ରିୟା। ୬୦କିଲୋ ଓଜନ ବର୍ଗରେ କାନାଡ଼ାର ମାରି-ବାଥୋଲ ଅଲ୍-ଅହମ୍ମଦିଙ୍କ ବିପକ୍ଷରେ ପ୍ରିୟା ୪-୧ରେ ବିଜୟ ହାସଲ କରିଥିଲେ। ୭୦କିଲୋ ବର୍ଗରେ ଅରୁନ୍ଧତୀଙ୍କ ଆଧିପତ୍ୟ ଜାରି ରହିଥିଲା । ସେ ଇଂଲଣ୍ଡର ଚାଣ୍ଟେଲି ରିଡଙ୍କୁ ଏକତରଫା ଭାବେ ୫-୦ରେ ହରାଇ ଚତୁର୍ଥ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ।

ନବମ ଦିବସରେ ସ୍ବର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଥିଲେ ପାରା ଆଥ୍ଲେଟ ସୋମନ ରାଣା। ଏଫ୍ ୫୭ ବର୍ଗରେ ବର୍ଗରେ ସେ ସ୍ୱର୍ଣ୍ଣ ହାସଲ କରିଥିଲେ। ଭାରତୀୟ ସେନାରେ ହାବିଲଦାର ରୂପେ କାର୍ଯ୍ୟରତ ସୋମନ ୧୩.୪୦ ମିଟର ଦୂର ସଟପୁଟ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଅନ୍ୟ ଭାରତୀୟ ପ୍ରତିଯୋଗୀ ଶୁଭମ ଜୁୟାଲ ୧୩.୨୮ ମିଟର ଦୂର ସଟପୁଟ୍ ଫିଙ୍ଗି ରୌପ୍ୟ ହାସଲ କରିଥିଲେ।

ଜୁଡ଼ୋରେ ଭାରତକୁ ଆଉ ଏକ ପଦକ ମିଳିଥିଲା। ମହିଳା ୬୩କିଲୋ ବର୍ଗରେ ଉନ୍ନତି ଶର୍ମା ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ସ୍କେୟ ନୋଏଷ୍ଟରଙ୍କୁ ୧୦୦-୦ରେ ହରାଇଥିଲେ। ପୁରୁଷ ବର୍ଗ ୫୦୦୦ ମିଟର ଦୌଡ଼ ଇଭେଣ୍ଟରେ ଗୁଲବୀର ଆଉ ଏକ ପଦକ ଯୋଡ଼ିଥିଲେ। ସେ ୧୩ମିନଟ୍ ୨୪.୯୫ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରଥମ ଭାରତୀୟ ଭାବେ ସେ ଉଭୟ ୧୦,୦୦୦ ଓ ୫,୦୦୦ ମିଟର ଦୌଡ଼ରେ ପଦକ ଜିତିବାରେ ସଫଳ ହୋଇଛନ୍ତି ।