ୱାସିଂଟନ: ଇରାନ ସହ ସଂଘର୍ଷ ଆମେରିକାର ଯୁଦ୍ଧ ଲଢିବା କ୍ଷମତା ଉପରେ ଏବେ ଚାପ ପକାଇଛି। ପେଣ୍ଟାଗନର ଏକ ଅନୁମାନ ଅନୁସାରେ ସେନା ଯୁଦ୍ଧରେ ନିଜର ମହଙ୍ଗା ଅସ୍ତ୍ରଶସ୍ତ୍ରର ଭଣ୍ଡାର ଖର୍ଚ୍ଚ କରିଦେଇଛି, ଯେଉଁଥିରେ ଟମହକ୍ କ୍ରୁଜ ମିଜାଇଲ, ପାଟ୍ରିୟଟ ଇଣ୍ଟରସେପ୍ଟର ମିଜାଇଲ ମଧ୍ୟ ଥିଲା। ଫେବୃଆରୀ ୨୮ରେ ଇସ୍ରାଏଲ ସହ ମିଶି ଇରାନ ଉପରେ ଆକ୍ରମଣ କରିଥିଲା ଆମେରିକା, ଯାହାର ଜବାବ ଦେଇଥିଲା ଇରାନ। ଏଥିରେ ଆମେରିକୀୟ ସେନା ସେହି ସବୁ ଅସ୍ତ୍ରଶସ୍ତ୍ରକୁ ଉପଯୋଗ କରିବାକୁ ବାଧ୍ୟ ହୋଇଥିଲା ଯାହାକୁ ଚୀନ୍ ଓ ଋଷିଆ ଭଳି ବଡ଼ ଶତ୍ରୁଦେଶଙ୍କ ମୁକାବିଲା ନିମନ୍ତେ ରଖା ଯାଇଥିଲା।

କେତେକ ଖର୍ଚ୍ଚ କରିଛି ଆମେରିକା?
ଇରାନ ସହ ଯୁଦ୍ଧରେ ଆମେରିକାର କେତେ ଖର୍ଚ୍ଚ ହେଲାଣି ହ୍ୱାଇଟ ହାଉସ୍ ଏ ନେଇ ଆନୁମାନିକ ବ୍ୟୟ ଅଟକଳ ଜାରି କରି ନାହିଁ। ହେଲେ ଦୁଇ ସ୍ୱାଧୀନ ସମୂହ ଏ ବାବଦେ ଆମେରିକାର ପ୍ରାୟ ୨୮ରୁ ୩୫ ବିଲିୟନ ଡଲାର ବ୍ୟୟ ହୋଇଥିବା ଆକଳନ କରିଛନ୍ତି। ଯାହା ଦୈନିକ ୧ ବିଲିୟନ ଡଲାର ଖର୍ଚ୍ଚରୁ ସାମାନ୍ୟ କମ୍। ରିପୋର୍ଟରେ ଦାବି କରାଯାଇଛି ଯେ କେବଳ ପ୍ରଥମ ଦୁଇ ଦିନରେ ସେନା ୫.୬ ବିଲିୟନ ଡଲାର ମୂଲ୍ୟର ଗୋଳାବାରୁଦ ଉପଯୋଗ କରିଦେଇଥିଲା।

ଇରାନରେ ଉପଯୋଗ ହୋଇଛି ଆମେରିକାର ଷ୍ଟକ୍
ଯୁଦ୍ଧ ବିଭାଗର ଆଭ୍ୟନ୍ତରୀଣ ଅନୁମାନ ସୂତ୍ରରୁ ନ୍ୟୁୟର୍କ ଟାଇମସ୍ ସୂଚିତ କରିଛି ଯେ ଆମେରିକା ସେନା ଯୁଦ୍ଧରେ ପାଖାପାଖି ୧,୧୦୦ ‘ଜଏଣ୍ଟ ଏୟାର ଟୁ ସର୍ଫେସ ଷ୍ଟାଣ୍ଡଅଫ ମିଜାଇ ଏକ୍ସଟେଣ୍ଡେଡ ରେଞ୍ଜ’ (ଜେଏଏସଏସଏମ-ଇଆର) ଉପଯୋଗ କରିଦେଇଛି। ଏହି ଶ୍ରେଣୀୟ ମିଜାଇଲ ଆକ୍ରମକ କ୍ଷମତା ୬୦୦ ମାଇଲରୁ ଅଧିକ। ଏହାର ମୂଲ୍ୟ ପ୍ରତି ମିଜାଇଲ ପାଖାପାଖି ୧.୧ମିଲିୟନ ଡଲାର। କେବଳ ଏତିକି ନୁହେଁ ସେନା ଇରାନ ବିରୁଦ୍ଧରେ ୧୦୦୦ରୁ ଅଧିକ ଟମ ହକ୍ ମିଜାଇଲ ମଧ୍ୟ ବ୍ୟବହାର କରିଛି। ଏହା ପ୍ରତିବର୍ଷ କିଣା ଯାଉଥିବା ସଂଖ୍ୟାର ପ୍ରାୟ ୧୦ ଗୁଣାରୁ ବି ଅଧିକ। ସେହିପରି ପ୍ରତି ଟମ ହକ୍ ମିଜାଇଲ ମୂଲ୍ୟ ୩.୬ ମିଲିୟନ ଡଲାରରୁ ବି ଅଧିକ।

ସିଏସଆଇସିର ଏକ ଅଧ୍ୟୟନ ଅନୁସାରେ ଆମେରିକା ଷ୍ଟକ୍ ରେ ଏବେ ମାତ୍ର ୩ ହଜାର ଟମ ହକ୍ ମିଜାଇଲ ଅଛି। ନ୍ୟୁୟର୍କ ଟାଇମ୍ସ, ରିପୋର୍ଟ ଅନୁସାରେ ପେଣ୍ଟାଗନ ଏହି ଯୁଦ୍ଧରେ ୧,୨୦୦ରୁ ଅଧିକ ପାଟ୍ରିୟଟ ଇଣ୍ଟରସେପ୍ଟର ମିଜାଇଲ ମଧ୍ୟ ବ୍ୟବହାର କରିଛି। ଏଥିରୁ ଗୋଟିଏ ମିଜାଇଲର ମୂଲ୍ୟ ୪ ମିଲିୟନ ଡଲାରରୁ ବି ଅଧିକ। ଅମେରିକା ୨୦୨୫ ବର୍ଷ ତମାମ ମାତ୍ର ୬୦୦ଟି ପାଟ୍ରିୟଟ ଇଣ୍ଟରସେପ୍ଟର ମିଜାଇଲ ନିର୍ମାଣ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ସେନା ୧୦୦୦ରୁ ଅଧିକ ପ୍ରିସିଜନ ଷ୍ଟ୍ରାଇକ୍ ଓ ଭୂ ଆଧାରିତ ମିଜାଇଲ (ଏଟିଏସିଏମଏସ) ମଧ୍ୟ ବ୍ୟବହାର କରିଛି। ଫଳରେ ଆମେରିକାର ଅସ୍ତ୍ରଶସ୍ତ୍ର ଭଣ୍ଡାର ଉଲ୍ଲେଖନୀୟ ହ୍ରାସ ହୋଇଛି।

ଅତିରିକ୍ତ ପାଣ୍ଠି ମାଗୁଛି ପେଣ୍ଟାଗନ
ଫେଣ୍ଟାଗନ ଇତି ମଧ୍ୟରେ କଂଗ୍ରେସକୁ ଅତିରିକ୍ତ ପାଣ୍ଠି ନିବେଦନ କରିଛି। ଏଥିରେ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କୁ ପୈଠ କରି ଆମେରିକାର ହ୍ରାସ ହୋଇଥିବା ଅସ୍ତ୍ରଶସ୍ତ୍ର ଭଣ୍ଡାର ପୂରଣ କରିବାକୁ ପେଣ୍ଟାଗନ ଚାହୁଁଛି। ହେଲେ ଆମେରିକାର ବୈଶ୍ୱିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ପୂର୍ବ ସ୍ତରକୁ ଫେରାଇ ଆଣିବା ଲାଗି ଅଧିକ ସମୟ ଲାଗିପାରେ। ଆର୍ମଡ ସର୍ଭିସେସ କମିଟିର ଶୀର୍ଷ ଡେମୋକ୍ରାଟ ତଥା ରୋଡ ଆଇଲ୍ୟାଣ୍ଡ ସିନେଟର ଜ୍ୟାକ୍ ରିଡ୍ ନ୍ୟୁୟର୍କ ଟାଇମସ୍ କୁ କହିଛନ୍ତି ଯେ ଏବେକା ଉତ୍ପାଦନ ହାର ଉପରେ ଦୃଷ୍ଟି ପକାଇଲେ ଆମେ ଯେତିକି ଅସ୍ତ୍ର ଖର୍ଚ୍ଚ କରିଛୁ ସେଗୁଡିକୁ ପୁଣି ତିଆରି କରିବାକୁ ଆମକୁ ଅନେକ ବର୍ଷ ଲାଗିଯିବ।

ଜାଣନ୍ତୁ କଣ କହୁଛନ୍ତି ଟ୍ରମ୍ପଙ୍କ ଟିମ୍
ତେବେ ହ୍ୱାଇଟ୍ ହାଉସ୍ ଏହି ରିପୋର୍ଟକୁ ଖାରଜ କରିଦେଇଛି। କହିଛି କାହାଣୀର ପୁରା ଆଧାର ହିଁ ଭୁଲ। ହ୍ୱାଇଟହାଉସ୍ ପ୍ରେସ୍ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ୍ ନ୍ୟୁୟର୍କ ଟାଇମ୍ସ କୁ ଦେଇଥିବା ଏକ ବୟାନରେ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକାର ସେନା ବିଶ୍ୱରେ ସବୁଠୁ ଶକ୍ତିଶାଳୀ। ସେନା ନିକଟରେ ଦେଶ ଓ ସାରା ବିଶ୍ୱରେ ଥିବା ଅସ୍ତ୍ରଭଣ୍ଡାରରେ ଆବଶ୍ୟକତା ଠାକୁ ଅନେକ ଅଧିକ ଅସ୍ତ୍ର ଶସ୍ତ୍ର ଓ ଗୋଳାବାରୁଦ ଅଛି।

Also Read..ଆମେରିକା-ଇରାନ ମଧ୍ୟରେ ଶୀଘ୍ର ହୋଇପାରେ ଦ୍ବିତୀୟ ପର୍ଯାୟ ଶାନ୍ତି ଆଲୋଚନା