ୱାଶିଂଟନ୍: ଆମେରିକାର ଯୁଦ୍ଧ ବିଭାଗ (US Department of War) ଏକ ବଡ଼ ଘୋଷଣା କରି 'ଇଣ୍ଡୋ-ପାସିଫିକ୍ କମାଣ୍ଡ' (USINDOPACOM) ର ନାମ ପରିବର୍ତ୍ତନ କରିଛି। ଏଥିରୁ 'ଇଣ୍ଡୋ' ଶବ୍ଦକୁ ହଟାଇ ଦିଆଯାଇଛି ଏବଂ ଏହାର ପୁରୁଣା ନାମ 'ପାସିଫିକ୍ କମାଣ୍ଡ' (USPACOM) କୁ ପୁନଃସ୍ଥାପିତ କରାଯାଇଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ନାମ ପରିବର୍ତ୍ତନ ନୁହେଁ ଏହି ପରିବର୍ତ୍ତନ ସମୟରେ କମାଣ୍ଡର ୱେବସାଇଟରେ ଭାରତର ଏକ ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବା ବିବାଦ ସୃଷ୍ଟି କରିଛି।

୧. କାହିଁକି ବଦଳିଲା ନାମ?

  • ଆମେରିକାର ଯୁଦ୍ଧ ବିଭାଗ ଅନୁଯାୟୀ, କମାଣ୍ଡର ଐତିହାସିକ ପରିଚୟ ଏବଂ ଗୌରବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ପୁରୁଣା ନାମ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।
  • ୧୯୪୭ ମସିହାରେ ଆମେରିକା ରାଷ୍ଟ୍ରପତି ହ୍ୟାରି ଏସ୍. ଟ୍ରୁମ୍ୟାନଙ୍କ ସମୟରେ ଗଠିତ ଏହି କମାଣ୍ଡ ଦୀର୍ଘ ୭ ଦଶନ୍ଧି ଧରି 'ପାସିଫିକ୍ କମାଣ୍ଡ' ନାମରେ କାର୍ଯ୍ୟ କରିଆସୁଥିଲା। ଏହା ହେଉଛି ଆମେରିକୀୟ ସାମରିକ ବ୍ୟବସ୍ଥାର ସବୁଠାରୁ ପୁରୁଣା ଓ ବୃହତ୍ କମାଣ୍ଡ।

୨. ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ

ନାମ ପରିବର୍ତ୍ତନ ସହ ସବୁଠାରୁ ବଡ଼ ବିବାଦୀୟ ପ୍ରସଙ୍ଗ ହେଉଛି ଭାରତର ଭୁଲ୍ ମାନଚିତ୍ର। Area of Responsibility ଦର୍ଶାଉଥିବା 'ୟୁଏସପିଏସିଓଏମ୍' ୱେବସାଇଟର ମାନଚିତ୍ରରେ ପାକ୍-ଅଧିକୃତ କାଶ୍ମୀର (PoK) କୁ ପାକିସ୍ତାନର ଅଂଶ ଭାବେ ଦର୍ଶାଯାଇଛି।

୩. ୨୦୧୮ ମସିହାର ନିଷ୍ପତ୍ତି ପ୍ରତ୍ୟାହୃତ

  • ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର ବଢ଼ୁଥିବା ରଣନୈତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ୨୦୧୮ ରେ ତତ୍କାଳୀନ ଆମେରିକା ପ୍ରତିରକ୍ଷା ସଚିବ ଜିମ୍ ମ୍ୟାଟିସ୍ ଏହି କମାଣ୍ଡର ନାମରେ 'ଇଣ୍ଡୋ' ଯୋଡ଼ିଥିଲେ।
  • ନାମରେ 'ଇଣ୍ଡୋ' ଯୋଡ଼ିବା ଭାରତ ଓ ଆମେରିକା ମଧ୍ୟରେ ବଢ଼ୁଥିବା ସାମରିକ ସହଯୋଗ, ସାମୁଦ୍ରିକ ସମନ୍ୱୟ ଏବଂ ଯୁଦ୍ଧାଭ୍ୟାସ ପାଇଁ ଏକ ବଡ଼ ସଙ୍କେତ ଥିଲା। କିନ୍ତୁ ବର୍ତ୍ତମାନ ସେହି ନିଷ୍ପତ୍ତିକୁ ଓଲଟାଇ ଦିଆଯାଇଛି।

୪. କାର୍ଯ୍ୟକ୍ଷେତ୍ରରେ କୌଣସି ପରିବର୍ତ୍ତନ ନାହିଁ

  • ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ନାମ ପରିବର୍ତ୍ତନ ହୋଇଥିଲେ ମଧ୍ୟ କମାଣ୍ଡର କାର୍ଯ୍ୟ, ଲକ୍ଷ୍ୟ ବା ଭୌଗୋଳିକ ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
  • ପୂର୍ବଭଳି ଆମେରିକାର ପଶ୍ଚିମ ଉପକୂଳରୁ ଆରମ୍ଭ କରି ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ଏହା ନିଜର ଦାୟିତ୍ୱ ତୁଲାଇବ।

୫. କଂଗ୍ରେସ ସାଂସଦ ଶଶି ଥରୁରଙ୍କ ତୀବ୍ର ପ୍ରତିକ୍ରିୟା

ଏହି ଘଟଣା ଭାରତୀୟ ରାଜନୀତିରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରିଛି। କଂଗ୍ରେସ ସାଂସଦ ଶଶି ଥରୁର ଏକ୍ସ (X) ରେ ଯୁଦ୍ଧ ବିଭାଗର ନିର୍ଦ୍ଦେଶନାମାର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି, "ଏହା କ୍ୱାଡ୍ (Quad) ସଂଗଠନର କଫିନରେ ଆଉ ଏକ କଣ୍ଟା କି?"।