ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ଡ୍ରୋନ୍ ନିର୍ମାତା କମ୍ପାନୀ 'ପାୱାରଅସ୍' (Powerus) ଏବଂ ପାକିସ୍ତାନ ସେନା ମଧ୍ୟରେ ଏକ MoU ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ପାକିସ୍ତାନ ସେନା କମ୍ପାନୀକୁ ଡ୍ରୋନ୍ ଏବଂ ଆନୁଷଙ୍ଗିକ ଶକ୍ତି ପ୍ରଣାଳୀ ପାଇଁ ପ୍ରଥମ ଅର୍ଡର ମଧ୍ୟ ପ୍ରଦାନ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । ଏହି କମ୍ପାନୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ସହ ପରୋକ୍ଷ ଭାବରେ ଜଡ଼ିତ।

ପାୱାରଅସ୍ କମ୍ପାନୀର ସହ-ସଂସ୍ଥାପକ ବ୍ରେଟ୍ ଭେଲିକୋଭିଚଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଇସଲାମାବାଦରେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ  ଅସିମ ମୁନୀରଙ୍କ ସହ ସାକ୍ଷାତ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା କ୍ରୟ, ଉତ୍ପାଦନ ଏବଂ ଦୀର୍ଘମିଆଦୀ ସାମର୍ଥ୍ୟ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଗୋପନୀୟତା ଓ ସୁରକ୍ଷା କାରଣରୁ କମ୍ପାନୀ ପକ୍ଷରୁ କେତେ ସଂଖ୍ୟକ ଡ୍ରୋନ୍ କିମ୍ବା କେତେ ଟଙ୍କାର ଡିଲ୍ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ତେବେ ଏହା ଆନମ୍ୟାନ୍ଡ ଏରିଆଲ୍ ସିଷ୍ଟମ୍  ଅଧୀନରେ ଆସୁଛି ବୋଲି କୁହାଯାଇଛି।

ଆମେରିକାର ଉନ୍ନତ ଜ୍ଞାନକୌଶଳକୁ ପାକିସ୍ତାନରେ ବ୍ୟବହାର କରି ସେଠାରେ ଡ୍ରୋନ୍ ଉତ୍ପାଦନ କରିବା ନେଇ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ଯୋଜନା ଚାଲିଛି। ପାୱାରଅସ୍‌ କମ୍ପାନୀ ଖୁବ୍‌ଶୀଘ୍ର 'ଅରେଅସ୍ ଗ୍ରୀନ୍‌ୱେ ହୋଲ୍ଡିଂସ' ସହ ମିଶ୍ରଣ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ପୁଅ—ଡୋନାଲ୍ଡ ଟ୍ରମ୍ପ ଜୁନିୟର ଏବଂ ଏରିକ୍ ଟ୍ରମ୍ପ 'ଆମେରିକାନ୍ ଭେଞ୍ଚର୍ସ' ନାମକ ଏକ ଫଣ୍ଡ୍ ମାଧ୍ୟମରେ ଅରେଅସରେ ଶେୟାର ରଖିଛନ୍ତି। ମିଶ୍ରଣ ପରେ ମିଳିତ କମ୍ପାନୀରେ ସେମାନଙ୍କର ପ୍ରାୟ ୯.୯% ଅଂଶଧନ ରହିବ।

ହ୍ୱାଇଟ୍ ହାଉସ୍‌ର ସ୍ପଷ୍ଟୀକରଣ
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ରୁ ଫକ୍ସ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟତା ଓ ବ୍ୟବସାୟିକ ଆଧାରରେ ହୋଇଛି। ଏଥିରେ ଟ୍ରମ୍ପଙ୍କ ପୁଅମାନଙ୍କର କୌଣସି ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ହସ୍ତକ୍ଷେପ ନାହିଁ। ଡୋନାଲ୍ଡ ଟ୍ରମ୍ପ ଜୁନିୟର କେବଳ ଜଣେ ପରୋକ୍ଷ ନିବେଶକ। କମ୍ପାନୀର କାର୍ଯ୍ୟକଳାପ କିମ୍ବା ପାକିସ୍ତାନ ସହ ଚୁକ୍ତି ସମ୍ପର୍କରେ ତାଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା।

ଆମେରିକା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ଏହି ଡିଲ୍‌ରେ କୌଣସି ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ। ଆମେରିକା ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଓ ସାମରିକ ସମ୍ପର୍କ ସୁଧାରିବା ପାଇଁ ଦୁଇ ଦେଶ ଉଦ୍ୟମ କରୁଥିବା ବେଳେ ଏହି ନୂତନ ପ୍ରତିରକ୍ଷା ଚୁକ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।