ନ୍ୟୁୟର୍କ,୯|୦୬:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମୁନି । ଇସ୍ରାଏଲ ମଧ୍ୟ ଇରାନ ଉପରେ ଆକ୍ରମଣ କରୁଛି । ସେପଟେ ପାଲଟା ଜବାବ ଦେଉଛି ତେହେରାନ୍ । ଶାନ୍ତି ଆଲୋଚନା ଚାଲିଥିଲେ ବି ମଧ୍ୟପ୍ରାଚ୍ୟ ଅଶାନ୍ତ ରହିଛି । ଏସବୁ ଭିତରେ ଆମେରିକାକୁ ବଡ ଝଟକା ଲାଗିଛି ।

ରିପୋର୍ଟ ଅନୁସାରେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟରେ ଆମେରିକାର ଶକ୍ତିଶାଳୀ ଆପାଚି ଗନସିପ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ ଥିବା ଦୁଇ ଜଣ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେଉଁ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଆପାଚି ହେଲିକପ୍ଟର ସେହି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ଚାଲିଛି । ଏହାକୁ ଇରାନ୍ ଖସାଇଛି ନା କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି କ୍ରାଶ୍ କରିଛି ତାହାର ତଦନ୍ତ ଚାଲିଛି । ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଇରାନ ଉପରେ ବିଜୟ ହାସଲ କରିବେ ବୋଲି କହି ସାରିଛନ୍ତି ।

Also Read :- Pakistan : POKରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ, ହିଂସା ପ୍ରଦର୍ଶନରେ ଗଲା ୧୧ ଜୀବନ, ୭୦ରୁ ଅଧିକ ଆହତ

ଇସ୍ରାଏଲ-ଇରାନ ତିକ୍ତତା

ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇରାନର ସଶସ୍ତ୍ର ବାହିନୀ ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ସମାପ୍ତ ଘୋଷଣା କରିଛି । କିନ୍ତୁ ଚେତାବନୀ ଦେଇଛି ଯେ ଯଦି ଇସ୍ରାଏଲ ଲେବାନନ ଉପରେ ପୁଣି ଆକ୍ରମଣ କରେ, ତେବେ ଜବାବରେ ଅଧିକ କଠୋର ଆକ୍ରମଣ କରାଯିବ ।

ଏହା ପୂର୍ବରୁ ଇରାନ କହିଥିଲା, "ଇରାନ ଗତକାଲି ଲେବାନିଜ୍ ଲୋକଙ୍କ ସମର୍ଥନରେ ବେରୁତର ଦକ୍ଷିଣ ଅଞ୍ଚଳରେ ଆକ୍ରମଣ କରିବା ପରେ ଇସ୍ରାଏଲକୁ ଜବାବ ଦେଇଥିଲା । ତେଣୁ, ସଶସ୍ତ୍ର ବାହିନୀର ଅଭିଯାନ ବନ୍ଦ କରିବାକୁ ଘୋଷଣା କରାଯାଇଛି । କିନ୍ତୁ ଯଦି ଦକ୍ଷିଣ ଲେବାନନ୍ ଉପରେ ଆକ୍ରମଣ ଏବଂ ଘୃଣ୍ୟ କାର୍ଯ୍ୟ ଜାରି ରହେ, ତେବେ ଅଧିକ କଠୋର ପଦକ୍ଷେପ ନିଆଯିବ ।"

ଉତ୍ତେଜନା ବଢିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ କରିଥିଲେ । ଏହା ସତ୍ତ୍ୱେ, ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା । ତେବେ ଟ୍ରମ୍ପଙ୍କ ଆହ୍ୱାନ ପରେ ହିଁ ଇରାନ ଘୋଷଣା କରିଛି ଯେ ସେ ଇସ୍ରାଏଲ ଉପରେ ଆକ୍ରମଣ କରିବ ନାହିଁ ।

ସେପଟେ ଲେବାନନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧବିରତି ସମୟରେ ଇସ୍ରାଏଲ ତାଙ୍କ ଦେଶ ଉପରେ ପ୍ରାୟ ୩୫୦୦ ଥର ବୋମା ଆକ୍ରମଣ କରିଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲେବାନନ ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୩,୬୧୩ ଜଣ ପ୍ରାଣ ହରାଇଛନ୍ତି ।